ଅବସର ନେଲେ ପ୍ରଧାନ ବିଚାରପତି ଏନ୍‌ଭି ରମଣା: ‘ଅବହେଳିତ ବର୍ଗଙ୍କୁ ନ୍ୟାୟିକ ସହାୟତା ଜରୁରୀ’

ବରିଷ୍ଠ ଓକିଲ କାନ୍ଦି ପକାଇଲେ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି ଅବସର ନେଇଛନ୍ତି। ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଗତବର୍ଷ ଏପ୍ରିଲ ୨୪ରେ ଶପଥ ନେଇଥିବା ରମଣା ୧୬ ମାସର କାର୍ଯ୍ୟକାଳ ପରେ ଆଜି ଅବସର ନେଇଛନ୍ତି। ରମଣା ସୁପ୍ରିମକୋର୍ଟରେ ୮ ବର୍ଷରୁ ଅଧିକ ସମୟ ବିଚାରପତି ଦାୟିତ୍ବ ସମ୍ପାଦନ କରିଛନ୍ତି। ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ଦ୍ବାରା ଏନ୍‌ଭି ରମଣାଙ୍କ ଅବସର ପାଇଁ ଏକ ବିଦାୟ ଉତ୍ସବ ଆୟୋଜନ କରାଯାଇଥିଲା। କିଛି ବରିଷ୍ଠ ଓକିଲମାନେ ଆଜି ବିଦାୟୀ ଭାଷଣ ଦେଇ କାନ୍ଦି ପକାଇଥିଲେ। ବରିଷ୍ଠ ଓକିଲ ଦୂଷ୍ୟନ୍ତ ଡାଭେ ବିଦାୟୀ ଭାଷଣ ଦେଇ ରମଣାଙ୍କୁ ‘ସିଟିଜେନ୍‌ସ ଜଜ୍‌’ ତଥା ନାଗରିକଙ୍କ ବିଚାରପତି ବୋଲି କହିଥିଲେ। ରମଣା ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ସଂସଦ ମଧ୍ୟରେ ସନ୍ତୁଳନ ରଖିଛନ୍ତି ବୋଲି ସେ କହିଥିଲେ। ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, କଠିନ ସମୟରେ ସନ୍ତୁଳନ ରକ୍ଷା କରିବା ନେଇ କୋର୍ଟ ତାଙ୍କୁ ମନେ ପକାଇବେ। ସିବଲ କହିଛନ୍ତି , ରମଣା ବିଚାରପତିମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ଯତ୍ନ ନିଅନ୍ତି। ରମଣା ଆଜି ବିଦାୟୀ ଭାଷଣ ଦେବା ସମୟରେ ତାଙ୍କ ବିରୋଧରେ ଆସିଥିବା କିଛି ସମାଲୋଚନା ପ୍ରସଙ୍ଗରେ ଜବାବ ରଖିଥିଲେ। ସେ କହିଥିଲେ ଯେ ନ୍ୟାୟପାଳିକା ସାଧାରଣ ଜନତାଙ୍କଠାରୁ ଅଧିକ ଦୂରରେ ନାହିଁ। ଏବେ ବି ଲକ୍ଷ ଲକ୍ଷ ଲୋକ ନ୍ୟାୟିକ ସହାୟତାକୁ ବଞ୍ଚିତ ହୋଇ ରହିଛନ୍ତି ଜରୁରୀ ସମୟରେ କୋର୍ଟ ଆସିବାକୁ ସାହସ ପାଉନାହାନ୍ତି। ଏଭଳି ଲୋକଙ୍କୁ ନ୍ୟାୟିକ ସହାୟତା ପହଞ୍ଚିବା ଜରୁରୀ ବୋଲି ସେ କହିଥିଲେ।

 

ସମ୍ବନ୍ଧିତ ଖବର