ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା : ସୁପ୍ରିମ୍‌ କୋର୍ଟଙ୍କ ପଦକ୍ଷେପ ଉପରେ ନଜର

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟର ଜଣେ ପୂର୍ବ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବାରୁ ଏହାକୁ ନେଇ କୋର୍ଟ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆଜି ଗୁରୁତ୍ବାରୋପ କରିଛନ୍ତି। ଏହି ଅଭିଯୋଗ ପଛରେ ‘ବଡ଼ ଷଡ଼ଯନ୍ତ୍ର’ ରହିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ମାମଲାର ଶୁଣାଣି ନିମନ୍ତେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ତେବେ ଅଭିଯୋଗ ଆଣିଥିବା ମହିଳା ଯେଉଁ ସବୁ ତଥ୍ୟ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ତାହାକୁ ଅଣଦେଖା କରି କେବଳ ‘ଷଡ଼ଯନ୍ତ୍ର’ ମାମଲାକୁ ଗୁରୁତ୍ବ ଦିଆଯାଉଥିବା ଦର୍ଶାଇ ଅନେକ ମହଲ ଏହାର ସମାଲୋଚନା ମଧ୍ୟ କରୁଛନ୍ତି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ସଠିକ୍‌ ପଦ୍ଧତିରେ ଆଗକୁ ବଢ଼ିବା ଉଚିତ ବୋଲି ସେମାନେ କହିଛନ୍ତି। ଅଦାଲତର ନିଜସ୍ବ ଆଭ୍ୟନ୍ତରୀଣ ଯାଞ୍ଚ କମିଟି ‘ଜିଏସ୍‌ଆଇସିସି’ ମଧ୍ୟ ରହିଛି । ଏହି କମିଟି ଦ୍ବାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ହୋଇପାରିବ ବୋଲି କେତେକ ଆଇନଜୀବୀ ମତ ରଖିଛନ୍ତି। ସୁପ୍ରିମ୍‌ କୋର୍ଟ ପରିସରରେ ହେଉଥିବା ସମସ୍ତ ଅଭିଯୋଗର ଯାଞ୍ଚ କରାଯାଇ ପାରିବ ବୋଲି ସ୍ପଷ୍ଟ ନିୟମ ରହିଛି । ବର୍ତ୍ତମାନ ୧୧ ସଦସ୍ୟ ବିଶିଷ୍ଟ ଆଭ୍ୟନ୍ତରୀଣ କମିଟି ଏ ବାବଦରେ ଆଦେଶ ଜାରି କରିବା ପାଇଁ କ୍ଷମତାପ୍ରାପ୍ତ ଅଛନ୍ତି। ଏହି ଆଦେଶ ବଳରେ ଯେ କୌଣସି ବ୍ୟକ୍ତି କିମ୍ବା ପକ୍ଷଙ୍କ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି ହୋଇପାରିବ। ଯୌନ ନିର୍ଯାତନା ମାମଲାରେ ୨୦୧୩ରେ ଜିଏସ୍‌ଆଇସିସି ଆଇନ ମୁତାବକ ଏହାର କୌଣସି ସଦସ୍ୟ ୪୮ ଘଣ୍ଟାର ନୋଟିସ୍‌ରେ ଅଧ୍ୟକ୍ଷଙ୍କୁ ଜରୁରୀର ବୈଠକ ଡକାଇବାକୁ ନିବେଦନ କରିପାରିବେ। ତେବେ ଏହି ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇସାରିଥିବାରୁ ଏବେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଖଣ୍ଡପୀଠ ସ୍ଥିର କରିବେ।

ଯୌନ ନିର୍ଯାତନା ଅଭିଯୋଗ ଆସିବା ମାତ୍ରେ ଅତ୍ୟନ୍ତ ତରବରିଆ ଭାବେ ସ୍ବତନ୍ତ୍ର ଶୁଣାଣି ହୋଇଥିବା ଏବଂ ଶୁଣାଣିରେ ନିଜେ ପ୍ରଧାନ ବିଚାରପତି ଉପସ୍ଥିତ ଥିବାରୁ ଏହାକୁ ନେଇ କେତେକ ମହଲ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ଅଭିଯୋଗ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ କୌଣସି ବଡ଼ ଶକ୍ତି ଏଥିପାଇଁ କାମ କରୁଛି। ଏଭଳି ଅଭିଯୋଗ ଯୋଗୁଁ ନ୍ୟାୟପାଳିକା ପ୍ରତି ବହୁତ ବଡ଼ ବିପଦ ଦେଖାଦେଇଛି ବୋଲି ଖଣ୍ଡପୀଠର ମନ୍ତବ୍ୟକୁ ବିରୋଧ କରି ଏବେ ସମାଲୋଚନାର ସ୍ବର ଉଠିଛି। ଏ କ୍ଷେତ୍ରରେ ମହିଳାଙ୍କ ଅଧିକାର ଏବଂ ତାଙ୍କର ଅଭିଯୋଗର କ’ଣ ହେବ ବୋଲି ପ୍ରଶ୍ନ କରାଯାଇଛି।

ସମ୍ବନ୍ଧିତ ଖବର