ବିଚାରପତିମାନେ ଆଇନର ଊର୍ଦ୍ଧ୍ବରେ ନୁହନ୍ତି
ବିଚାର ବିିଭାଗୀୟ ସ୍ବାଧୀନତାକୁ ସ୍ବଚ୍ଛତା ମଜବୁତ କରିବ
ଆଜି ଆସିବ ରାଫେଲ ଓ ସବରିମାଳା ପୁନଃ ଆବେଦନ ରାୟ

Advertisment

ନୂଆଦିଲ୍ଲୀ : ଏଣିକି ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବ। ସୁପ୍ରିମ୍‌ କୋର୍ଟ ଆଜି ଏଭଳି ଏକ ଐତିହାସିକ ରାୟରେ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ବିଧାନର ନିୟମ ଆଧାରରେ ଗଠିତ ଏକ ସରକାରୀ ସଂସ୍ଥା। ସମସ୍ତ ବିଚାରପତି ସୂଚନା ଅଧିକାର ଆଇନ‌ର ପରିସରରେ ଆସିବେ। ୨୦୧୦ରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଆଇନ ଅଧିକାର ପରିସରଭୁକ୍ତ ବୋଲି ଦିଲ୍ଲୀ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି। ନ୍ୟାୟପାଳିକାର ପାରଦର୍ଶିତା ଏବଂ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତିଙ୍କ ଅଫିସ୍‌କୁ ସୂଚନା ଅଧିକାର ପରିସରଭୁକ୍ତ କରାଯାଇଛି। ସୁପ୍ରିମ୍‌ କୋର୍ଟ ବିଚାରପତିମାନେ ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ସେମାନେ ମଧ୍ୟ ସୂଚନା ଅଧିକାର ଆଇନର ପରିସରରେ ଆସିବେ ବୋଲି ସମ୍ବିଧାନ ପୀଠ ସ୍ପଷ୍ଟ କରିଛନ୍ତି।

ତେବେ ପାରଦର୍ଶିତା ଏବଂ ସ୍ବଚ୍ଛତା ନାମରେ ନ୍ୟାୟପାଳିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଗଲେ ତାହା ଗ୍ରହଣୀୟ ହେବନାହିଁ। ତେଣୁ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟର କେତେକ ଗୋପନୀୟତା ପୂର୍ବଭଳି କାଏମ ରହିବ। ସୁପ୍ରିମ୍‌ କୋର୍ଟ ସମ୍ବିଧାନର ଧାରା ୧୨୪ ଆଧାରରେ ଏହି ରାୟ ପ୍ରଦାନ କରିଛନ୍ତି। ସୁପ୍ରିମ୍‌ କୋର୍ଟ ଆହୁରି କହିଛନ୍ତି ଯେ କଲେଜିୟମ ଦ୍ବାରା ଦିଆଯାଇଥିବା ବିଚାରପତିଙ୍କ ନାମ ମଧ୍ୟ ସାର୍ବଜନୀନ କରାଯାଇ ପାରିବ। ତେବେ ଏହାର କାରଣକୁ ପ୍ରକାଶ କରାଯାଇ ପାରିବ ନାହିଁ।

ପ୍ରଧାନ ବଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଏହି ରାୟ ଶୁଣାଇଛନ୍ତି। ଏହି ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଜଷ୍ଟିସ୍‌ ଏନ୍‌ ଭି ରମଣ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍‌ ସଂଜୀବ ଖାନ୍ନା ରହିଛନ୍ତି। ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ୪ ଏପ୍ରିଲରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

ସମ୍ବିଧାନ ପୀଠ କହିଛନ୍ତି ଯେ ଯେ ଆର୍‌ଟିଆଇର ବ୍ୟବହାର ଗୁଇନ୍ଦାଗିରି କରିବା ଲକ୍ଷ୍ୟରେ କରାଯାଇପାରିବ ନାହିଁ। ବ୍ୟକ୍ତିଗତ ଗୋପନୀୟତା ଅଧିକାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଏବଂ ଏହାକୁ ଅଣଦେଖା କରି କୌଣସି କାମ କରାଯାଇପାରିବ ନାହିଁ। ବିଚାରପତିଙ୍କ ସମ୍ପତ୍ତି ବିବରଣୀ ସଂପର୍କିତ ତଥ୍ୟ ପ୍ରଦାନ ବେଳେ ସୂଚନା ଅଧିକାରୀ ମାମଲାର ଗୁରୁତ୍ବ ଏବଂ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ। ଏ ଦିଗରେ ସନ୍ତୁଳନ ରକ୍ଷା ଜରୁରୀ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

ସୂଚନା‌େଯାଗ୍ୟ ଯେ ୨୦୦୭ରେ ସୂଚନା ଅଧିକାର କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ବିଚାରପତିମାନଙ୍କ ସଂପତ୍ତିର ବିବରଣୀ ମାଗିଥିଲେ। ତାଙ୍କର ଏହି ଆବେଦନ ପ୍ରତ୍ୟାଖ୍ୟାନ ହୋଇଯିବାରୁ ମାମଲା କେନ୍ଦ୍ରୀୟ ସୂଚନା କମିସନ୍‌ରେ ପହଂଚିଥିଲା। ଅଗ୍ରୱାଲଙ୍କୁ ତଥ୍ୟ ଦେବାଲାଗି କମିସନ ନିର୍ଦେଶ ଦେବାରୁ ସୁପ୍ରିମ କୋର୍ଟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ଅଗ୍ରୱାଲଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାକୁ ପୁଣି ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଯାଇଥିଲା। ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ଏହି ରାୟ ଦେଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ସୁପ୍ରିମ କୋର୍ଟରେ ବହୁଚର୍ଚ୍ଚିତ ସବରିମାଳା ଓ ରାଫେଲ ପ୍ରସଙ୍ଗରେ ପୁନଃ ଆବେଦନର ରାୟ ପ୍ରକାଶ ପାଇବ। ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବାକୁ ଯାଉଥିବାରୁ ଏହା ଉପରେ ସମଗ୍ର ଦେଶର ନଜର କେନ୍ଦ୍ରୀଭୂତ ହୋଇଛି।