ନୂଆଦିଲ୍ଲୀ : ଓଡ଼ିଶା ସମେତ ୨୫ଟି ହାଇକୋର୍ଟର ମୁଖ୍ୟବିଚାରପତିଙ୍କୁ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଶୀଘ୍ର ନାମ ସୁପାରିସ୍‌ କରି ପଠାଇବା ପାଇଁ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଏନ୍‌.ଭି. ରମନ୍ନା ପତ୍ର ଲେଖିଥିବା ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟରେ ସମୁଦାୟ ୪୧୬ଟି ବିଚାରପତି ପଦ ଖାଲି ପଡ଼ିଛି। ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବାବେଳେ ଏବେ ବି ୧୨ଟି ପଦ ଖାଲି ପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌ କରିବାକୁ ମୁଖ୍ୟବିଚାରପତିଙ୍କୁ ନେଇ କଲେଜିୟମ୍ ଗଠିତ ହୋଇଥାଏ। କଲେଜିୟମ୍‌ରେ ପ୍ରସ୍ତାବିତ ନାମକୁ ନେଇ ଚର୍ଚ୍ଚା ହେବା ପରେ ସହମତି ଆଧାରରେ ନାମ ସୁପାରିସ୍‌ କରାଯାଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଓ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ଏହି ପ୍ରସଙ୍ଗରେ ଚର୍ଚ୍ଚା କରି ନାମ ଅନୁମୋଦନ କରିଥାନ୍ତି। ଜାନୁଆରୀ, ୨୦୨୧ରେ ଓଡ଼ିଶା ହାଇକୋର୍ଟ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ଷ୍ଟାଟସ୍‌ ରିପୋର୍ଟରେ ୧୨ଟି ବିଚାରପତି ପଦ ଖାଲି ଥିବା ଏବଂ ଛଅମାସ ଭିତରେ ଆଉ ଦୁଇଟି ପଦ ଖାଲି ହେବାକୁ ଥିବା ସମ୍ପର୍କରେ ଅବଗତ କରାଯାଇଥିଲା।