ନୂଆଦିଲ୍ଲୀ: ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ କହିଛନ୍ତି ଯେ ସଂସଦ ନୁହେଁ, ସମ୍ବିଧାନ ହିଁ ସର୍ବୋଚ୍ଚ। ନିଜ ସହର ଅମରାବତୀରେ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ୍ ଗୱାଇ କହିଛନ୍ତି ଯେ, ଗଣତନ୍ତ୍ରର ତିନୋଟି ଶାଖା- କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସମ୍ବିଧାନ ଅଧୀନରେ କାର୍ଯ୍ୟ କରୁଛି। ଅନେକ ଲୋକ ସଂସଦକୁ ସର୍ବୋଚ୍ଚ ବୋଲି କହୁଥିବା ବେଳେ ମୋ ମତରେ ଭାରତର ସମ୍ବିଧାନ ହିଁ ସର୍ବୋଚ୍ଚ। ଜଷ୍ଟିସ ଗୱାଇ କହିଛନ୍ତି ଯେ ସଂସଦ ପାଖରେ କେବଳ ସଂଶୋଧନ କରିବାର କ୍ଷମତା ଅଛି, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ କରାଯାଇପାରିବ ନାହିଁ।
କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ ମାମଲାରେ ସୁପ୍ରିମ୍କୋର୍ଟଙ୍କ ୧୯୭୩ ମସିହାର ଐତିହାସିକ ରାୟରୁ ‘ବେସିକ୍ ଷ୍ଟ୍ରକ୍ଚର’ ସିଦ୍ଧାନ୍ତ ବିକଶିତ ହୋଇଥିଲା। ୧୩ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ସମ୍ବିଧାନର ‘ମୌଳିକ ଢାଞ୍ଚା’ ଅପରିବର୍ତ୍ତନୀୟ ଏବଂ ସଂସଦ ଦ୍ୱାରା ଏହାକୁ ସଂଶୋଧନ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି କହିଛନ୍ତି ଯେ ବିଚାରପତିମାନଙ୍କର ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ କର୍ତ୍ତବ୍ୟ ରହିଛି। କେବଳ ସରକାରଙ୍କ ବିରୋଧରେ ଆଦେଶ ଦେବା ସ୍ୱାଧୀନତା ନୁହେଁ। ଆମେ ନାଗରିକଙ୍କ ଅଧିକାର ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଓ ନୀତିର ରକ୍ଷକ। ଆମ ପାଖରେ କେବଳ କ୍ଷମତା ନାହିଁ, ବରଂ ଆମର ଏକ କର୍ତ୍ତବ୍ୟ ରହିଛି। ଆମକୁ ସ୍ୱାଧୀନ ଭାବରେ ଚିନ୍ତା କରିବାକୁ ପଡ଼ିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ବୁଲଡୋଜର ନ୍ୟାୟ ବିରୋଧରେ ଗତବର୍ଷ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ସମର୍ଥନ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ଆଶ୍ରୟ ନେବାର ଅଧିକାର ସର୍ବୋଚ୍ଚ। ଗତ ନଭେମ୍ବର ମାସରେ ସୁପ୍ରିମ୍କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଦମନ କରାଯାଇପାରିବ ନାହିଁ। ସମସ୍ତ ପ୍ରକାର ଉଚ୍ଛେଦ ବେଳେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ, ଯେଉଁଥିରେ ବାଧ୍ୟତାମୂଳକ ୧୫ ଦିନର ନୋଟିସ ଅବଧି ଅନ୍ତର୍ଭୁକ୍ତ।
ବିତର୍କ ଭିତରେ ପ୍ରଧାନ ବିଚାରପତିଙ୍କ ଉତ୍ତର, ସମ୍ବିଧାନ ନା ସଂସଦ, କେଉଁଟି ସର୍ବୋଚ୍ଚ?
ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ କହିଛନ୍ତି ଯେ ସଂସଦ ନୁହେଁ, ସମ୍ବିଧାନ ହିଁ ସର୍ବୋଚ୍ଚ। ନିଜ ସହର ଅମରାବତୀରେ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା...
/sambad/media/media_files/2025/06/27/et-2025-06-27-12-34-49.jpg)