ନୂଆଦିଲ୍ଲୀ : ଚଳିତମାସରେ ଅବସର ନେବାକୁ ଥିବା ଦୁଇ ବିଚାରପତିଙ୍କ ସମେତ ଚାରିଜଣ ବିଚାରପତିଙ୍କୁ ଚାରୋଟି ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରବିବାର ନିଯୁକ୍ତି ଦିଆଯାଇଛି। ଗୁଜରାଟ ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍ ସୋନିଆ ଗିରିଧର ଗୋକାନିଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ଶପଥପାଠ କରିବା ପରେ ଭାରତର ମୋଟ ୨୫ଟି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ସେ ଏକମାତ୍ର ମହିଳା ମୁଖ୍ୟ ବିଚାରପତି ହେବେ। ତେବେ ଜଷ୍ଟିସ୍ ସାବିନା ହିମାଚଳପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ୍ ଗୋକାନି ଚଳିତମାସ ୨୫ ତାରିଖରେ ଅବସର ନେବେ। ଜଷ୍ଟିସ୍ ଅରବିନ୍ଦ କୁମାରଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଉନ୍ନୀତ କରାଯିବା ପରେ ଜଷ୍ଟିସ୍ ଗୋକାନିଙ୍କୁ ତୁରନ୍ତ ତାଙ୍କ ସ୍ଥାନରେ ନିଯୁକ୍ତି ଦେବା ପାଇଁ କଲେଜିୟମ୍ ସୁପାରିସ କରିଥିଲେ।

Advertisment

ଓଡ଼ିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍ ଯଶୱନ୍ତ ସିଂହଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ସେ ବି ଚଳିତ ମାସ ୨୨ ତାରିଖରେ ଅବସର ନେବେ। ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କ ଅବସର ପରେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ କିଛିଦିନ ହେଲା ଖାଲି ପଡ଼ିଥିଲା। ସୁପ୍ରିମ୍‌କୋର୍ଟର ବିଚାରପତିମାନେ ୬୫ ବର୍ଷରେ ଅବସର ନେଉଥିବା ବେଳେ ହାଇକୋର୍ଟ ବିଚାରପତିମାନେ କିନ୍ତୁ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି। ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ‌ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ କୋଟୀଶ୍ବର ସିଂହଙ୍କୁ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।