୧୦୦ ଦିନରୁ କମ କାର୍ଯ୍ୟକାଳ ଥାଇ ଏମାନେ ବି ହୋଇଥିଲେ ଦେଶର ପ୍ରଧାନ ବିଚାରପତି; ଓଡ଼ିଶାରୁ ବି ଥିଲେ ଜଣେ

ଭୁବନେଶ୍ବର (ସମ୍ବାଦ ଡିଜିଟାଲ୍ ଡେସ୍କ) : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନ୍ନା ଆସନ୍ତା ୨୬ ତାରିଖରେ ତାଙ୍କ ପଦରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ସେ  ଜଷ୍ଟିସ ଉଦୟ ଉମେଶ ଲଲିତ (ୟୁୟୁ ଲଲିତ)ଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି। ତେଣୁ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ୟୁ ୟୁ ଲଲିତ।

ତେବେ, ଦେଶର ପ୍ରଧାନ ବିଚାରପତି ପଦରେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନର ହେବ। କାରଣ, ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ।

ହେଲେ, ପ୍ରଧାନ ବିଚାରପତି ପଦରେ ଜଷ୍ଟିସ ଉଦୟ ଉମେଶ ଲଲିତ ଏକମାତ୍ର ପ୍ରଧାନ ବିଚାରପତି ନୁହନ୍ତି ଯାହାଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ୍‌ ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଜଷ୍ଟିସ ଲଳିତଙ୍କ ପୂର୍ବରୁ ଆଉ କେଉଁ ପ୍ରଧାନ ବିଚାରପତିମାନଙ୍କର କାର୍ଯ୍ୟକାଳ ୧୦୦ ଦିନ ବା ତା’ଠାରୁ କମ ରହିଥିଲା।

ଜଷ୍ଟିସ୍‌ ୟୁୟୁ ଲଲିତ (୭୪ ଦିନ) ଙ୍କ ପୂର୍ବରୁ ୧୦୦ ଦିନରୁ କମ୍‌ କାର୍ଯ୍ୟକାଳ ସହିତ ଭାରତର ପ୍ରଧାନ ବିଚାରପତି ତାଲିକାରେ ନିମ୍ନୋକ୍ତ ବିଚାରପତିମାନେ ରହିଛନ୍ତି।

 ଜଷ୍ଟିସ ଏସ ରାଜେନ୍ଦ୍ର ବାବୁ
ଜଷ୍ଟିସ୍ ରାଜେନ୍ଦ୍ର ବାବୁ ୨ ମେ ୨୦୦୪ରୁ ୩୧ ମେ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ ଥିଲା ମାତ୍ର ୨୯ ଦିନ। ସେ  କର୍ଣ୍ଣାଟକ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଆସିଥିଲେ।

ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟାନାୟକ
ଓଡ଼ିଆ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟାନାୟକ ୮ ନଭେମ୍ବର ୨୦୦୨ରୁ ୧୮ ଡିସେମ୍ବର ୨୦୦୨ ପର୍ଯ୍ୟନ୍ତ ଦେଶର ପ୍ରଧାନବିଚାରପତି ଥିଲେ। ମାତ୍ର ୪୦ ଦିନ ଥିଲା ତାଙ୍କର କାର୍ଯ୍ୟକାଳ। ସେ ଓଡ଼ିଶା ହାଇକୋର୍ଟରୁ  ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀକୁ ଯାଇଥିଲେ।

 ଜଷ୍ଟିସ୍‌ ଲଳିତ ମୋହନ ଶର୍ମା
ପାଟନା ହାଇକୋର୍ଟରୁ ସୁପ୍ରିମ୍ କୋର୍ଟ ଆସିଥିବା ଜଷ୍ଟିସ୍‌ ଲଳିତ ମୋହନ ଶର୍ମା ୧୮ ନଭେମ୍ବର ୧୯୯୨ରୁ ୧୧ ଫେବ୍ରୁଆରି ୧୯୯୩ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ପଦରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟକାଳ ଥିଲା ମାତ୍ର ୮୫ ଦିନ।

ଜଷ୍ଟିସ୍‌ ଜୟନ୍ତୀଲାଲ ଛୋଟାଲାଲ ଶାହା
୧୭ ଡିସେମ୍ବର ୧୯୭୦ରୁ ୨୧ ଜାନୁଆରି ୧୯୭୧, ମାତ୍ର  ୩୫ ଦିନ ଲାଗି ଦେଶର ମୁଖ୍ୟବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ ଜଷ୍ଟିସ୍‌ ଜୟନ୍ତୀଲାଲ ଛୋଟାଲାଲ ଶାହା। ସେ ବମ୍ବେ ହାଇକୋର୍ଟରୁ ସୁପ୍ରିମ କୋର୍ଟକୁ ଆସିଥିଲେ।

ସମ୍ବନ୍ଧିତ ଖବର