ଲାଞ୍ଚ ପ୍ରତ୍ୟାଖ୍ୟାନ କରିଥିବା ହୋମଗାର୍ଡକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଗୌହାଟୀ : କୁହାଯାଇଥାଏ ସୁଯୋଗ ଥିଲେ ଜଣେ ଦୁର୍ନୀତି କରିବାକୁ ପଛାଏ ନାହିଁ। କିନ୍ତୁ ଏହାର ବ୍ୟତିକ୍ରମ ହେଉଛନ୍ତି ଆସାମରେ ହୋମ୍‌ଗାର୍ଡ ଭାବେ ଦାୟିତ୍ବ ସଂପାଦନ କରୁଥିବା ବୋର୍ସିଂ ବେ। ଆସାମର କର୍ବି ଆଙ୍ଗଲଙ୍ଗ୍ ଠାରେ ନିକଟରେ କାର୍ଯ୍ୟ କରୁଥିବାବେଳେ ଗୋଟିଏ ବସ୍‌ରେ ମାଫିଆମାନେ ୧୨ କୋଟି ଟଙ୍କାର ମାଦକ ଦ୍ରବ୍ୟର ଚୋରା ଚାଲାଣ କରୁଥିଲେ। ସେହି ମାଦକ ଦ୍ରବ୍ୟକୁ ନଧରିବା ପାଇଁ ହୋମଗାର୍ଡଙ୍କୁ ସେମାନେ ବିପୁଳ ପରିମାଣର ଲାଞ୍ଚ ମଧ୍ୟ ଯାଚିଥିଲେ। କିନ୍ତୁ ହୋମଗାର୍ଡ ଜଣକ ପୁଲିସ ପୋଷାକରେ କଳଙ୍କ ଲାଗିବାକୁ ଦେଇ ନଥିଲେ। ସେ ତାଙ୍କ ସାଧୁତା ଓ ସା‌ହସର ପରିଚୟ ଦେବାକୁ ଯାଇ ଚୋରା ମାଦକ୍ର ସାମଗ୍ରୀକୁ ଜବତ କରିଥିଲେ। ଏଥିପାଇଁ ତାଙ୍କୁ ବଡ଼ ପୁରସ୍କାର ମିଳିଛି ଏବଂ ତାଙ୍କ ସ୍ବପ୍ନ ପୂରଣ ହୋଇପାରିଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତାଙ୍କୁ ‌ଗତକାଲି କନଷ୍ଟେବଳଭାବେ ନିଯୁକ୍ତିପତ୍ର ହସ୍ତାନ୍ତର କରିଛନ୍ତି। ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ନିଷେଧ (ନିଶା ମୁକ୍ତି/ନିବାରଣ) ଦିବସ ପାଳନ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ବୋର୍ସିଂଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ନିଯୁକ୍ତିପତ୍ର ପ୍ରଦାନ ଲାଗି ଉତ୍ସବର ଆୟୋଜନ କରାଯାଇଥିଲା। ପୂର୍ବରୁ ବୋର୍ସିଂ ଆସାମ ପୁଲିସ ନିଯୁକ୍ତି ପରୀକ୍ଷା ୩ ଥର ଦେଇଥିଲେ ମଧ୍ୟ ସେ ସେଥିରେ ସଫଳ ହୋଇ ନଥିଲେ। ତେଣୁ ‌ଏବେ ତାଙ୍କର କନ‌ଷ୍ଟେବଳ ହେବା ସ୍ବପ୍ନ ସାକାର ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସମସ୍ତେ ଜାଣୁ ଜଣେ ହୋମଗାର୍ଡ ମାସକୁ କେତେ ଦରମା ପାଆନ୍ତି। ତେଣୁ ସେ ଦୃଷ୍ଟିରୁ ବୋର୍ସିଂର ସାଧୁତା ଓ ସାହସ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଲାଞ୍ଚକୁ ପ୍ରତ୍ୟାଖାନ କରି ଚଳିମାସ ୨୧ ତାରିଖରେ ସେ ମାଦକ ଦ୍ରବ୍ୟକୁ ଜବତ କରିଛନ୍ତି। ବସ୍‌ ଇଞ୍ଜିନ ଭିତରେ ମାଦକ ଦ୍ରବ୍ୟର ଚୋରାଚାଲାଣ ହେଉଥିଲା। ସେମାନେ ମୋତେ ବିପୁଳ ପରିମାଣର ଲାଞ୍ଚ ଯାଚିଥିଲେ ମଧ୍ୟ ମୁଁ ମୋ ଖାକିରେ କଳଙ୍କ ଲାଗିବାକୁ ଦେଇ ନଥିଲି ବୋଲି ବୋର୍ସିଂ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ତାଙ୍କର ଦାୟିତ୍ବ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରନ୍ତି ତାହେଲେ ସେ ନିଶ୍ଚୟ ଲକ୍ଷ୍ୟ ହାସଲ କରିବେ। ଆସାମ କ୍ୟାବିନେଟରେ ତାଙ୍କୁ ନିୟମିତ କନଷ୍ଟେବଳ ନିଯୁକ୍ତିକୁ ମଞ୍ଜୁରି ଦିଆଯାଇଥିଲା ଏବଂ ଏହାପରେ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବା ଲାଗି ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର