ନୂଆଦିଲ୍ଲୀ/ ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସଂପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାକ୍ଷାତ ଅବସରରେ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲେଖିଛନ୍ତି ଆଜି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭ କଲି। ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରେରଣା ଓ ଅତୁଟ ସମର୍ଥନ ପାଇଁ କୃତଜ୍ଞ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର-ରାଜ୍ୟ ସୁସମନ୍ବୟ ତଥା ରାଜ୍ୟର ସମଗ୍ର ବିକାଶକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଭେଟିବା ସମୟରେ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଏକ ରୁପା ତାରକସି ଫଳକ ଉପହାର ଦେଇଥିଲେ।
ରାଷ୍ଟ୍ରପତିଙ୍କୁ ବି ସାକ୍ଷାତ କଲେ
ରାଜ୍ୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା
ମୁଖ୍ୟମନ୍ତ୍ରୀ ଆଜି ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଥିବା ନେଇ ‘ଏକ୍ସ’ରେ ପୋଷ୍ଟ୍ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆମ ଓଡ଼ିଶା ମାଟିର ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲି। ଏହି ଅବସରରେ ଓଡ଼ିଶାର ବିକାଶ ଯାତ୍ରା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ରୋଡ୍ମ୍ୟାପ୍ ଓ କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶାର ବିକାଶକୁ କେମିତି ଆହୁରି ତ୍ୱରାନ୍ୱିତ କରିହେବ, ସେ ବିଷୟରେ ଆଲୋଚନା କରିବା ସହ ମହାମହିମ ରାଷ୍ଟ୍ରପତିଙ୍କୁ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ରିପୋର୍ଟ ପ୍ରଦାନ କଲି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ଗସ୍ତର ଦ୍ବିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଘ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଓଡ଼ିଶାର ବିକାଶ ପରିଯୋଜନା, ଜନସେବା ଓ କେନ୍ଦ୍ର ରାଜ୍ୟ ସମନ୍ବୟ ସଂପର୍କିତ ବିଷୟ ଉପରେ ଦୁଇନେତା ଆଲୋଚନା କରିଥିଲେ। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତରୁଣ ଚୁଘ୍ଙ୍କ ଲିଖିତ ‘ଜୀତ୍ ମୋଦୀ ଶାସନ କୀ’ ପୁସ୍ତକକୁ ଗ୍ରହଣ କରିବା ସହିତ ଶ୍ରୀ ଚୁଘ୍ଙ୍କୁ ଓଡ଼ିଶା ଭିଜନ୍ ୨୦୩୬-୨୦୪୭ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଦୁଇଦିନିଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦିବଙ୍ଗତ ପିତାଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପିର ରାଷ୍ଟ୍ରୀୟ ସଂଗଠନ ସଂପାଦକ ବି.ଏଲ.ସନ୍ତୋଷଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।