ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଟେଲିଫୋନ୍ ଯୋଗେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ଆଲୋଚନା ସମୟରେ ଭାରତୀୟମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ସଂପର୍କରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହା। ଏ ନେଇ ୟୁକ୍ରେନ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି ବୋଲି ବି ସେ କହିଥିଲେ। ଋଷର ଘନ ଘନ ଆକ୍ରମଣ ଫଳରେ ବିମାନ ଅବତରଣ ନ କରିପାରିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହାପରେ ଭାରତୀୟଙ୍କୁ ଉଦ୍ଧାର ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ଏଣେ ରାଜ୍ୟ ସରକାର ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯୁଦ୍ଧ ଚାଲିଥିବା ୟୁକ୍ରେନରୁ ଶୀଘ୍ର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉ। ୟୁକ୍ରେନରେ ବହୁ ସଂଖ୍ୟାରେ ଓଡ଼ିଆ ଛାତ୍ରଛାତ୍ରୀ ଏମବିବିଏସ୍ ପଢୁଛନ୍ତି। ସେମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ କେତେବେଳେ କ’ଣ ହେବ ସେ ନେଇ ଆଶା ଆଶଙ୍କାରେ ରହିଛନ୍ତି।

ୟୁକ୍ରେନରେ ଫସିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର