ନୂଆଦିଲ୍ଲୀ: ନିକଟରେ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୩ଟିରେ ବିଜୟୀ ହୋଇଥିବା ବେଳେ ଉପରୋକ୍ତ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ଚୂଡ଼ାନ୍ତ କରିପାରି ନାହିଁ। ଶେଷରେ ନାମ ଚୟନ ଲାଗି ଆସନ୍ତାକାଲି ଦଳ ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ବୋଲି ଜଣାପଡ଼ିଛି। ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ନନେଇ ନିର୍ବାଚନ ଲଢ଼ିଥିଲା। ତିନିଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ହାତଗଣତି ଲୋକଙ୍କ ନାମ ଥିବା କୁହାଯାଉଛି। ପର୍ଯ୍ୟବେକ୍ଷକମାନେ ଉପରୋକ୍ତ ରାଜ୍ୟଗୁଡ଼ିକରେ ନବନିର୍ବାଚିତ ବିଧାୟକଙ୍କ ବୈଠକର ତଦାରଖ କରିବେ, ଯେଉଁଠାରେ ସେମାନେ ସେମାନଙ୍କ ନେତା ଚୟନ କରିବେ।

Advertisment

ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଦୃଢ଼ ଦାବିଦାର ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନରେନ୍ଦ୍ର ସିଂହ ତୋମାରଙ୍କୁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଦେଖିବାକୁ ମିଳୁଛି। ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରାଜ୍ୟ ବିଜେପି ସଭାପତି ଅରୁଣ କୁମାର ସାଓ, ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଏହି ପଦ ପାଇଁ ଅନ୍ୟତମ ଦାବିଦାର ଭାବେ ଦେଖିବାକୁ ମିଳୁଛି। ବିଜେପିର ପ୍ରାୟ ୨୫ ଜଣ ବିଧାୟକ ସୋମବାର ବସୁନ୍ଧରାଙ୍କୁ ଭେଟିଥିଲେ, ଯାହାକୁ ସମର୍ଥନ ଏବଂ ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଥିଲା।