ଜଗା-ବଳିଆକୁ ଦେଖି ମୁଖ୍ୟମନ୍ତ୍ରୀ ଭାବବିହ୍ଵଳ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଏମ୍‌ସ ପରିଦର୍ଶନ କରି ସେଠାରେ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଥିବା ଦୁଇ ଭାଇ ଜଗା-ବଳିଆଙ୍କୁ ଦେଖିଥିଲେ। ମଧ୍ୟାହ୍ଣ ପ୍ରାୟ ସାଢ଼େ ୧୨ଟାରେ ଦୁଇଭାଇଙ୍କୁ ଦେଖିବା ପରେ ସେମାନଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ। ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ ସେ ଏମ୍‌ସର ସ୍ନାୟୁଶଲ୍ୟ ବିଭାଗ ମୁଖ୍ୟ ଡା. ଅଶୋକ କୁମାର ମହାପାତ୍ରଙ୍କ ସମେତ ଚିକିତ୍ସାକାରୀ ଦଳଙ୍କୁ ସାଧୁବାଦ ଜଣାଇଥିଲେ। ସେମାନଙ୍କର ଏହି ବିରଳ ପ୍ରୟାସକୁ ଓଡ଼ିଶାବାସୀ କେବେ ବି ଭୁଲିବେନି ବୋଲି କହିଥିଲେ। ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସନ୍ତୋଷଜନକ ପ୍ରଗତି ହେଉଥିବା ଜାଣି ଖୁସି ପ୍ରକଟ କରିଥିଲେ। ସେହିପରି ସେମାନଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଜଗାକୁ ଦେଖିବା ବେଳେ ଜଗା ଜଗା ବୋଲି ଡାକି ହାତ ହଲାଇଥିଲେ। ଜଗା ମଧ୍ୟ ବୁଝିଲା ପରି ହାତ ହଲାଇବା ସହ ହସିଥିଲା। ଏହା ଦେଖି ସବୁ ଠିକ୍‌ ହୋଇଯିବ ବୋଲି ଶୁଭ କାମନା କରି ନବୀନ ବଳିଆ ପାଖକୁ ଯାଇଥିଲେ। ଆସିୟୁରେ ଭେଣ୍ଟିଲେଟର ବିନା ଚିକିତ୍ସିତ ହେଉଥିବା ବଳିଆକୁ ଦେଖି ଭାବବିହ୍ଵଳ ହୋଇଯାଇଥିଲେ। ତେବେ ଜଗା ପରି ବଳିଆ ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଡାକ୍ତରୀ ଦଳଙ୍କ ଠାରୁ ଶୁଣିବା ପରେ ନବୀନ ଖୁସି ମନରେ ସେଠାରୁ ଫେରିଥିଲେ। ପରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିବରଣୀ ରଖିଥିଲେ।

ସମ୍ବନ୍ଧିତ ଖବର