ନେତା, ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ

ପଦ୍ମାବତୀ ରିଲିଜ୍‌ରେ ରୋକ୍‌ ଲଗାଇବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

 

ନୂଆଦିଲ୍ଲୀ: ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ପ୍ରତ୍ୟହ ନୂଆ ନୂଆ ବିବାଦ ଓ ବିରୋଧ ମୁଣ୍ଡ ଟେକିବାରେ ଲାଗିଛି। ଫିଲ୍ମକୁ ରିଲିଜ୍‌ କରିବା ପାଇଁ ଅନୁମତି ନଦେବା ପାଇଁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ତୃତୀୟ ମାମଲାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ସେନ୍‌୍‌ସର ବୋର୍ଡ କାର୍ଯ୍ୟରେ କୌଣସି ପ୍ରକାର ହସ୍ତକ୍ଷେପ ହେବନାହିଁ ବୋଲି କୋର୍ଟ କହିଛନ୍ତି। ଫିଲ୍ମରେ ରାଜନୈତିକ ରଙ୍ଗ ବୋଳି ଦିଆଯାଉଥିବା ବିବାଦୀୟ ବୟାନ ଏହି ବିବାଦକୁ ଅଧିକ ଜଟିଳ ରୂପ ଦେଇଛି। ଆଜି ସୁପ୍ରିମକୋର୍ଟ ଏଭଳି ବୟାନ ଦେଉଥିବା ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟକୁ ସିଧାସଳଖ ବିରୋଧ କରି କହିଛନ୍ତି ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତିଙ୍କ ଏଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ। ଫିଲ୍ମକୁ ନେଇ ଅନାବଶ୍ୟକ ବୟାନବାଜି ବନ୍ଦ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଫିଲ୍ମକୁ ଏଯାବତ୍‌ ସେନସର ବୋର୍ଡ ପ୍ରମାଣପତ୍ର ଦେଇନଥିବାରୁ ଏହା ପୂର୍ବରୁ ନେତା ଏବଂ ମନ୍ତ୍ରୀମାନେ ଫିଲ୍ମକୁ ନେଇ କୌଣସି ବୟାନ ଦେବା ଅନୁଚିତ୍‌ ଏବଂ ଏହା ଅପମାନଜନକ ମଧ୍ୟ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ସେନ୍‌ସର ବୋର୍ଡ କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି କୁହାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ ଖାନଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଫିଲ୍ମଟିକୁ ପ୍ରମାଣପତ୍ର ଦେବା ଦାୟିତ୍ୱ ସେନ୍‌ସର ବୋର୍ଡର। ତେଣୁ ଏହା ପୂର୍ବରୁ ସରକାରୀ ଅଧିକାରୀମାନଙ୍କ ଏଭଳି ବୟାନ ସିବିଏଫସିର ବିଚାରପ୍ରକ୍ରିୟାରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଏହା ଆଇନ ବିରୋଧୀ ଅଟେ।

ବ୍ରିଟେନ୍‌ରେ ‘ପଦ୍ମାବତୀ’ର ରିଲିଜ୍‌ ଉପରେ ରୋକ୍‌ ଲଗାଇବାନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଓକିଲ ଏମଏଲ ଶର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ‘ପଦ୍ମାବତୀ’ ଫିଲ୍ମରେ ରାଣୀ ପଦ୍ମାବତୀ ଏବଂ ଆଲାଉଦ୍ଦିନ୍‌ ଖିଲଜିଙ୍କ ମଧ୍ୟରେ ରହିଥିବା ରୋମାଣ୍ଟିକ୍‌ ଦୃଶ୍ୟକୁ ବିରୋଧ କରାଯାଇ ବିବାଦ ଉଗ୍ର ରୂପ ନେଇଛି। ପାଞ୍ଚଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମକୁ ରିଲିଜ ନ କରିବାକୁ ଘୋଷଣା କରିଛନ୍ତି। ପ୍ରଥମ ରାଜ୍ୟଭାବେ ଗୁଜରାଟ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଇ ଫିଲ୍ମକୁ ନେଇ ବିଜ୍ଞପ୍ତି ଜାରି କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲି ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି କହିଥିଲେ। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଫିଲ୍ମକୁ ବିରୋଧ କରି ମନ୍ତବ୍ୟ ଦେଇଛନ୍ତି।

ବିବାଦ ନହଟିଲେ ବିହାରରେ ‘ପଦ୍ମାବତୀ’ ରିଲିଜ୍‌ ହେବନି: ନୀତୀଶ କୁମାର

ନୂଆଦିଲ୍ଲୀ: ‘ପଦ୍ମାବତୀ’କୁ ସେନ୍‌ସର ବୋର୍ଡ ପ୍ରମାଣପତ୍ର ଦେବା ପୂର୍ବରୁ ଏହାକୁ ନେଇ ଏନ୍‌୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଙ୍କ ବିବାଦୀୟ ବୟାନ ମାମଲାକୁ ଅଧିକ ଜଟିଳ କରୁଛି। ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ପଦ୍ମାବତୀକୁ ବିରୋଧ କରି ବୟାନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମାବତୀକୁ ନେଇ ବିରୋଧ ଓ ଆନ୍ଦୋଳନ ବଢ଼ୁଥିବାବେଳେ ଏହି ବାବଦରେ ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲି ତାଙ୍କ ମତାମତ ସ୍ପଷ୍ଟ ନକରିବା ପର୍ଯ୍ୟନ୍ତ ଏବଂ ବିବାଦ ଦୂର ନହେବା ପର୍ଯ୍ୟନ୍ତ ରାଜ୍ୟରେ ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବନି ବୋଲି ନୀତୀଶ କହିଛନ୍ତି। ରାଣୀ ପଦ୍ମାବତୀଙ୍କ ଚରିତ୍ରରେ ଥିବା ଦୀପିକା ଫିଲ୍ମରେ ନାଚିବାକୁ ସେ ବିରୋଧ କରିଛନ୍ତି। ବିହାରର ସଂସ୍କୃତ ମନ୍ତ୍ରୀ କ୍ରୀଷ୍ଣା କୁମାର କହିଛନ୍ତି ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟ ନହଟିବା ପର୍ଯ୍ୟନ୍ତ ଫିଲ୍ମଟିକୁ ରାଜ୍ୟରେ ରିଲିଜ୍‌ ହେବାକୁୁ ଦିଆଯିବନି।

ସମ୍ବନ୍ଧିତ ଖବର