ଭୁଟାନ ସୀମାବର୍ତ୍ତୀ ଅଞ୍ଚଳରେ ଗାଁ ପରେ ଗାଁ ବସାଇ ଚାଲିଛି ଚୀନ, ସାଟେଲାଇଟ୍ ଚିତ୍ରରୁ ୬ଟି ଗାଁ ଚିହ୍ନଟ

ନୂଆଦିଲ୍ଲୀ : ଭୁଟାନ ଅଞ୍ଚଳରେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯେଉଁ ସବୁ ଅଞ୍ଚଳକୁ ନେଇ ଚୀନ ଓ ଭୁଟାନ ମଧ୍ୟରେ ମତଭେଦ ରହିଛି, ସେସବୁ ଅଞ୍ଚଳରେ ଚୀନ ନୂଆ ନୂଆ ଗ୍ରାମ ନିର୍ମାଣ କରିଚାଲିଛି ବୋଲି ସର୍ବଶେଷ ସାଟେଲାଇଟ୍ ଫଟୋରୁ ଜଣାପଡ଼ିଛି ।

ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ଏଜେନ୍ସିର ରିପୋର୍ଟ ଅନୁସାରେ ଭୁଟାନ ଅଞ୍ଚଳରେ ଚୀନ ପକ୍ଷରୁ ନିର୍ମାଣ କରାଯାଉଥିବା ଗ୍ରାମ ସଂଖ୍ୟା ୬ରେ ପହଞ୍ଚିଛି । ଗତ ନଭେମ୍ବର ମାସରେ ଉତ୍ତୋଳିତ ସାଟେଲାଇଟ୍ ଫଟୋ ଅନୁସାରେ ଏହି ଗ୍ରାମ ସଂଖ୍ୟା ୪ ଥିଲା । ଅର୍ଥାତ ଏହି ଦୁଇ ମାସରେ ଚୀନ ଆଉ ଦୁଇଟି ନୂଆ ଗ୍ରାମ ନିର୍ମାଣ କରିଛି । ସିପେଲା ସ୍ପେଶ୍ ପକ୍ଷରୁ ଉତ୍ତୋଳନ କରାଯାଇଥିବା ନୂଆ ସାଟେଲାଇଟ୍ ଚିତ୍ର ଅନୁସାରେ ବିବାଦୀୟ ସ୍ଥାନରେ ଚୀନ ପକ୍ଷରୁ ପ୍ରାୟ ୨୦୦ରୁ ଅଧିକ ଢାଞ୍ଚାର ନିର୍ମାଣ କାର୍ଯ୍ୟ କରାଯାଉଛି । ଏପରିକି କେତେକ ସ୍ଥାନରେ ଦୁଇ ମହଲା ଘର ବି ନିର୍ମାଣ କରାଯାଉଥିବା ଦେଖାଯାଉଛି । ଚିନ୍ତାଜନକ ବିଷୟ ହେଉଛି ଏସବୁ ଅଞ୍ଚଳଗୁଡ଼ିକରେ ଲୋକ ରହୁନଥିବାବେଳେ ଚୀନ ଗ୍ରାମ ପରେ ଗ୍ରାମ ବସାଇଚାଲିଛି । ଅନ୍ୟ ଅଞ୍ଚଳରୁ ଲୋକମାନଙ୍କୁ ଆଣି ଏଠାରେ ଥଇଥାନ କରିବାକୁ ଚୀନ ଯୋଜନା କରୁଥିବା ସଂଦେହ କରାଯାଉଛି ।

ତେବେ ଭାରତ ପାଇଁ ଚିନ୍ତାଜନକ ବିଷୟ ହେଉଛି ଏସବୁ ଗ୍ରାମ ଗୁଡ଼ିକ ଭାରତ-ଭୁଟାନ-ଚୀନ ଟ୍ରାଇ-ଜଙ୍କସନ ବା ତ୍ରିଛକ ଅଞ୍ଚଳରେ ଅବସ୍ଥିତ । ଏହା ଭାରତର ସଂବେଦନଶୀଳ ଚିକେନ ନେକ ଅଞ୍ଚଳ ନିକଟରେ ଥିବାରୁ ଆଗକୁ ଭାରତର ସୁରକ୍ଷା ପାଇଁ ଆହ୍ବାନ ସୃଷ୍ଟି କରିପାରେ ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର