୩ ଦିନ ତଳୁ ପରିବାରର ୫ଜଣ ଆତ୍ମହତ୍ୟା କରିଥିବା ବେଙ୍ଗାଲୁରୁର ଗୋଟାଏ ଘରୁ ଉଦ୍ଧାର ହେଲା ୨ ବର୍ଷୀୟ ଝିଅ
ବେଙ୍ଗାଲୁରୁ: ୩ ଦିନ ତଳୁ ପରିବାରର ୫ଜଣ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବ୍ୟାଦରହାଲ୍ଲୀ ଥାନା ଅନ୍ତର୍ଗତ ଗୋଟାଏ ଘରେ ଥିବା ଶବ ଗହଣରୁ ଜଣେ ୨ ବର୍ଷୀୟ ବାଳିକାକୁ ଶୁକ୍ରବାର ରାତିରେ ଉଦ୍ଧାର କରାଯାଇଛି। କିନ୍ତୁ, ଖାଦ୍ୟାଭାବରୁ ସେ ପରିବାରର ଆଉ ଗୋଟିଏ ୯ ମାସର କୋଳଛୁଆର ମୃତ୍ୟୁ ଘଟିଛି।
ପୁଲିସ କହିବା ଅନୁସାରେ, ୫ ଦିନ ପରେ ଏଚ୍. ଶଙ୍କର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଫେରିବା ପରେ ଏହି ଦୁଃଖଦାୟକ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। କେବଳ ତାଙ୍କର ୨ ବର୍ଷୀୟ ନାତୁଣୀକୁ ଛାଡ଼ି ପରିବାରର ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଛି।
ପୁଲିସ ଅଧିକାରୀ ସଞ୍ଜୀବ ଏମ୍. ପାଟିଲ୍ କହନ୍ତି, ଘର ଭିତରୁ ଆମେ ୫ଟି ଶବ ପାଇଛୁ। ଘରୁ ଗୋଟାଏ ଜୀବନ୍ତ ଛୁଆକୁ ଉଦ୍ଧାର କରିଛୁ। ଆମେ ମୃତ୍ୟୁର କାରଣ ଜାଣିନାହୁଁ। ଗଳିତ ହୋଇ ଆସୁଥିବା ଶବମାନଙ୍କ ମଧ୍ୟରୁ ଆମେ ସେ ପିଲାଟିକୁ ଉଦ୍ଧାର କରିଛୁ।

ଗୃହ ବିବାଦ ହେତୁ ୫ ଦିନ ତଳେ ଏଚ୍. ଶଙ୍କର ରାଗରେ ଘରୁ ପଳାଇଯାଇଥିଲେ। ଶାଶୂଘର ଛାଡ଼ି ବାପଘରେ ରହିବାକୁ ଚାଲି ଆସିଥିବା ଝିଅ ସହ ସେଦିନ ଶଙ୍କରଙ୍କର ଯୁକ୍ତିତର୍କ ହୋଇଥିଲା ବୋଲି ପୁଲିସ କହୁଛି।
ପରେ ବହୁବାର ଘରକୁ ଫୋନ୍ କଲେ ମଧ୍ୟ ଉତ୍ତର ନ ମିଳିବାରୁ ଶଙ୍କର ଘରକୁ ଫେରି ଦେଖିଲେ, ତାଙ୍କ ୫୧ ବର୍ଷୀୟ ପତ୍ନୀ ଭାରତୀ, ୨୫ ବର୍ଷିୟ ପୁଅ ମଧୁସାଗର, ୩୪ ବର୍ଷୀୟ ଦୁଇ ଝିଅ ସିଞ୍ଚଣା ଓ ସିନ୍ଧୁରାଣୀ ଘରର ‘ସିଲିଙ୍ଗ୍ ୱାଲ୍’ରେ ଫାଶୀ ଲଗାଇ ମରିଛନ୍ତି।
ପ୍ରାରମ୍ଭିକ ତଦନ୍ତ କରି ପୁଲିସ କହିଛି ଯେ, ଭୋକ ଦାଉରୁ ଶଙ୍କରଙ୍କ ୯ମାସିଆ ନାତିର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଥିବା ତାଙ୍କ ୨ ବର୍ଷୀୟ ନାତୁଣୀକୁ ସ୍ବାସ୍ଥ୍ୟ ପରକ୍ଷା ଲାଗି ଡାକ୍ତରଖାନା ପଠାଯାଇଛି।