ନୂଆଦିଲ୍ଲୀ: ଦେଶର ପ୍ରଥମ ତୃତୀୟଲିଙ୍ଗୀ ପୁଲିସ ସବଇନିସପେକ୍ଟର ପ୍ରୀଥିକା ୟାସିନିଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ଆବେଦନ ପ୍ରତ୍ୟାଖ୍ୟାନ ହୋଇଯାଇଛି। ସେ ୨୦୨୧ ମସିହାରେ ସେଣ୍ଟ୍ରାଲ ଆଡପସନ ରିସୋର୍ସ ଅଥରିଟି (ସିଏଆରଏ)ରେ ଏଥିପାଇଁ ଆବେଦନ କରିଥିଲେ। ତେବେ ଏହା ପ୍ରତ୍ୟାଖ୍ୟାନ ହେବା ପରେ ସେ ଏବେ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଇନଗତ ଯୁଦ୍ଧରେ ଜିତିବା ପରେ ପ୍ରୀଥିକା ତାମିଲନାଡୁରେ ପୁଲିସ ସବଇନିସପେକ୍ଟର ଚାକରି ପାଇଥିଲେ।
ଏହା ତୃତୀୟ ଲିଙ୍ଗୀଙ୍କ ପାଇଁ ଦେଶରେ ପୁଲିସ ଚାକିରିରେ ଯୋଗଦେବାର ପଥ ପରିସ୍କାର କରିଥିଲା। ପ୍ରୀଥିକା ବର୍ତ୍ତମାନ ଆସିଷ୍ଟାଣ୍ଟ ଇମିଗ୍ରେସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ମାଡ୍ରାସ ହାଇକୋର୍ଟରେ ସେ ଯେଉଁ ପିଟିସନ ଦାଖଲ କରିଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ପୋଷ୍ୟ ସନ୍ତାନ ଗ୍ରହଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ଅର୍ଥ ଜଣେ ସାଧାରଣ ନାଗରିକର ମୌଳିକ ଅଧିକାରକୁ ବିରୋଧ କରିବା ଯାହାକି ବେଆଇନ। ଏ ସଂକ୍ରାନ୍ତରେ ହାଇକୋର୍ଟର ଜଷ୍ଟିସ ଏମ.ଧଣ୍ଡପାଣି କହିଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ସିଏଆରଏ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ୩୦ ତାରିକ ସୁଦ୍ଧା ଜବାବ ଦାଖଲ ପାଇଁ କୁହାଯାଇଛି।