ଖେଳୁଖେଳୁ ଦେଢ଼ ବର୍ଷର ଶିଶୁ ଗିଳି ଦେଲା ଆତ ମଞ୍ଜି, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଲା

ଅମ୍ବିକାପୁର: ଛତିଶଗଡ଼ର ଅମ୍ବିକାପୁରରେ ଆତ ମଞ୍ଜି ଗଳାରେ ଅଟକି ଯିବା ହେତୁ ଦେଢ଼ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ସୁରଜପୁର ଜିଲ୍ଲାରେ ରାମାନୁଜନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।  ରାମତିରଥ ଗ୍ରାମରେ ରହୁଥିବା ସମ୍ପତ୍ତି ସିଂହଙ୍କ ଦେଢ଼ ବର୍ଷର ପୁଅ ଯୁବରାଜ ସିଂହ ଅକ୍ଟୋବର ୨୪ ତାରିଖରେ ଘର ଚଟାଣରେ ପଡିଥିବା ଆତ ମଞ୍ଜିକୁ ନେଇ ଖେଳୁ ଥିଲା। ଖେଳୁ ଖେଳୁ ମଞ୍ଜିକୁ ପାଟିରେ ପୁରାଇ ଦେବା ହେତୁ ମଞ୍ଜିଟି ଶିଶୁଟିର ଗଳାରେ ଫସିଯାଇଥିଲା।

ଗଳାରେ ମଞ୍ଜି ଫସି ଯିବା ପରେ ଶିଶୁକୁ ଛଟପଟ ହେବା ଦେଖି ମା’ ଓ ପରିବାରଲୋକ ମଞ୍ଜିକୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ତେଣୁ ଶିଶୁକୁ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଯାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ବି ଶିଶୁର ଗଳାରୁ ଆତ ମଞ୍ଜି ବାହାରି ପାରି ନଥିଲା। ଶେଷରେ ଶିଶୁକୁ ଅମ୍ବିକାପୁରସ୍ଥିତ ଏକ ଘରୋଇ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଶିଶୁର ଚିକିତ୍ସା ଚାଲିଥିବା ଅବସ୍ଥାରେ ମତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର