ଗାମ୍ବିୟାରେ ଭାରତୀୟ କଫ ସିରଫ ଖାଇ ଶିଶୁ ମୃତ୍ୟୁ ଏକ ଅଚିନ୍ତନୀୟ ଲଜ୍ଜା: ନାରାୟଣ ମୂର୍ତ୍ତି

ବେଙ୍ଗାଲୁରୁ: ଭାରତରେ ଉତ୍ପାଦିତ କଫ ସିରପ୍‌ ଖାଇ ଆଫ୍ରିକାର ଗାମ୍ବିୟାରେ ୬୬ ଜଣ ଶିଶୁଙ୍କ ମୃତ୍ୟୁ ହେବା ଖବର ଭାରତ ପାଇଁ ଅଚିନ୍ତନୀୟ ଲଜ୍ଜା ଆଣିଛି। ଏହା ଭାରତ ଔଷଧ ନିୟାମକ ସଂସ୍ଥାର ବିଶ୍ବସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ବୋଲି କହିଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣ ମୂର୍ତ୍ତି। କୋଭିଡ-୧୯ ଟିକା ଉତ୍ପାଦନ ଏବଂ ଦେଶବାସୀଙ୍କୁ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ବିଶେଷ ସଫଳତା ହାସଲ କରିଥିଲେ ମଧ୍ୟ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ବଡ଼ ଚାଲେଞ୍ଜର ସମ୍ମୁଖୀନ ହେଉଛି। ଇନଫୋସିସ୍ ବିଜ୍ଞାନ ପ୍ରତିଷ୍ଠାନର ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି।

ଏଥିସହିତ ପ୍ରଫେସର କସ୍ତୁରିରଙ୍ଗନ କମିଟି ସୁପାରିସରେ ପ୍ରସ୍ତୁତ ଭାରତର ନୂଆ ଶିକ୍ଷା ନୀତିର ସେ ‌ପ୍ରଶଂସା କରିଛନ୍ତି। ଲଣ୍ଡନର ରୟାଲ ସୋସାଇଟିରେ ପ୍ରଫେସର ଗଗନଦୀପ କାଙ୍ଗ ଓ ଅନ୍ୟମାନେ ଫେଲୋ ହେବା, ପ୍ରଫେସର ଅଶୋକ ସେନ୍ ମିଲେନିୟମ ପୁରସ୍କାର ଜିତିବାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ୨୦୨୦ରେ ଘୋଷଣା ହୋଇଥିବା ବିଶ୍ବର ୨୫୦ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ନରହିବା ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି।

ଇନଫୋସିସ ପୁରସ୍କାର-୨୦୨୨ର ବିଜେତାମାନେ ହେଲେ ଇଞ୍ଜିନିୟରିଂ ‌ଓ କମ୍ପ୍ୟୁଟର ସାଇନ୍ସରେ ସୁମନ ଚକ୍ରବର୍ତ୍ତୀ, ହ୍ୟୁମାନିଟିଜରେ ସୁଧୀର କ୍ରିଷ୍ଣାସ୍ବାମୀ, ଲାଇଫ ସାଇନ୍ସରେ ବିଦିତା ବୈଦ୍ୟ, ଗଣିତରେ ମହେଶ କାକଡେ, ଭୌତିକ ବିଜ୍ଞାନରେ ନିସିମ କାନେକର ଓ ସାମାଜିକ ବିଜ୍ଞାନରେ ରୋହିଣୀ ପାଣ୍ଡେ।

ସମ୍ବନ୍ଧିତ ଖବର