ହାପୁର : ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରଓ୍ବେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିଲେ ବି ପ୍ରଶାସନ ଓ ସ୍ଥାନୀୟ ଲୋକେ ସଚେତନ ହେଉନାହାନ୍ତି ।ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରଓ୍ବେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁରରେ ।

Advertisment

ହାପୁରର କୋଟଲା ସଦତ ଅଂଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି । ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି । ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ।

ତେବେ ଏହି ଘଟଣା ସଂପର୍କରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଂଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ଜିଲ୍ଲାପାଳ ମେଧା ରୁପମ ଶିଶୁଟି ଗାତରେ ଖସିପଡ଼ିଥିବା ସ୍ବୀକାର କରିବା ସହ କହିଛନ୍ତି ଯେ ଉଦ୍ଧାର କାମରେ ଏନଡିଆରଏଫ ମୁତୟନ କରାଯାଇଛି । ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଉଛି ବୋଲି ସେ କହିଛନ୍ତି ।