ଶିଶୁ ସୂଚକାଙ୍କ ରିପୋର୍ଟ : ଏକବିଂଶ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୋଷଣ ତଥା ସକାରାତ୍ମକ ବୃଦ୍ଧିକୁ ନେଇ ପ୍ରତିଷ୍ଠିତ ମୋବାଇଲ କ୍ରେଚ୍‌ସ ସଂସ୍ଥା ଦ୍ୱାରା ପ୍ରକାଶିତ କରାଯାଇଥିବା ‘ଷ୍ଟେଟ୍ ଅଫ୍ ଦ ୟଙ୍ଗ ଚାଇଲ୍ଡ ଇନ୍ ଇଣ୍ଡିଆ’ ରିପୋର୍ଟରେ ଓଡ଼ିଶା ୨୧ତମ ସ୍ଥାନରେ ରହିଛି। ୨୦୦୫-୦୬ ରିପୋର୍ଟ ତୁଳନାରେ ୨୦୧୫-୧୬ରେ ଓଡ଼ିଶାର ସ୍କୋରିଂରେ ଉନ୍ନତି ହୋଇଛି। ୨୦୦୫-୦୬ରେ ଓଡ଼ିଶାର ସ୍କୋରିଂ ୦.୪୫୦ ଥିବାବେଳେ ୨୦୧୫-୧୬ରେ ୦.୬୧୭ ରହିଛି। ୟଙ୍ଗ ଚାଇଲ୍ଡ ଇଣ୍ଡିଆ ଏନ୍‌ଭାଇରନମେଣ୍ଟ ସୂଚକାଙ୍କରେ ଓଡ଼ିଶା ଅଷ୍ଟାଦଶ ସ୍ଥାନରେ ରହିଛି। ରିପୋର୍ଟରେ ପଶ୍ଚିମ ଭାରତୀୟ ରାଜ୍ୟଗୁଡ଼ିକ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ସଫଳତା ପାଇଥିବା ବେଳେ ଓଡ଼ିଶା ସମେତ ଅନ୍ୟ ୧୦ଟି ରାଜ୍ୟ ଏ ଦିଗରେ ସଫଳତା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଅପରପକ୍ଷେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସ୍ଥିତିର ଉନ୍ନତି ପାଇଁ ପୋଷଣ କ୍ଷେତ୍ରରେ ଓଡ଼ିଶାର ପ୍ରୟୋଗ ଗୁଡ଼ିକରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଓଡ଼ିଶା ଓ କର୍ଣ୍ଣାଟକ ଅଙ୍ଗନବାଡ଼ି କ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଶିଶୁ ସୂଚକାଙ୍କ ରିପୋର୍ଟରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ବିହାରର ସ୍ଥିତି ନୈରାଶ୍ୟଜନକ ଥିବା ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର