ଶିଶୁ ମୃତ୍ୟୁ ହାର କମିଛି, ଶିଶୁ ସ୍ବା‌ସ୍ଥ୍ୟ ବିପନ୍ନ: ସରକାରୀ ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି। ମାତ୍ର ଶିଶୁ ସ୍ବାସ୍ଥ୍ୟ ବିପନ୍ନ ହୋଇ ପଡ଼ିଛି। ୨୦୧୫-୧୬ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ’ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁସାରେ, ୧୮ ରାଜ୍ୟରୁ ୧୧ ରାଜ୍ୟରେ ଶିଶୁମାନଙ୍କ କ୍ଷେତ୍ରରେ କୁ-ପୋଷଣ ଚିନ୍ତାଜନକ ଏବଂ ଶିଶୁମାନେ ଅବିକଶିତ ଅବସ୍ଥାରେ ଅଛନ୍ତି। ଗତକାଲି କେନ୍ଦ୍ର ସରକାର ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟ-୨୦୧୯-୨୦ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ ତେଲେଙ୍ଗାନାରେ କୁ‌-ପୋଷଣ ଏବଂ ଶିଶୁଙ୍କ ରୁଗ୍‌ଣ ସ୍ଥିତି ଅତି ସଙ୍ଗୀନ ହୋଇଥିବା ବେଳେ ଏହା ପଛକୁ ହିମାଚଳପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟମାନେ ରହିଛନ୍ତି। ତେଲେଙ୍ଗାନାରେ ସର୍ବାଧିକ ୫.୧% ଶିଶୁ ଅବିକଶିତ ଥିଲାବେଳେ ହିମାଚଳପ୍ରଦେଶରେ ୪.୫%, କେରଳରେ ୩.୭%, ପଶ୍ଚିମବଙ୍ଗରେ ୧.୩%, ମହାରାଷ୍ଟ୍ରରେ ୦.୮% ଏବଂ ଗୁଜରାଟରେ ୦.୫ % ଶିଶୁ ଅବିକଶିତ ସ୍ଥିତିରେ ଅଛନ୍ତି। ସେହିଭଳି ଉଚ୍ଚତା ତୁଳନାରେ ଶିଶୁମାନଙ୍କ ଓଜନ ମଧ୍ୟ ହ୍ରାସ ପାଇଛି। ଉଚ୍ଚତା ତୁଳନାରେ ଶିଶୁଙ୍କ ଓଜନ ସବୁଠୁ କମ୍‌ ରହିଥିବା ରାଜ୍ୟ ତାଲିକାରେ ଜମ୍ମୁ-କାଶ୍ମୀର ସବୁଠୁ ଆଗରେ (୬.୮%)ରହିଛି। ଏହା ପଛକୁ ଆସାମ (୪.୭%), ହିମାଚଳପ୍ରଦେଶ (୩.୭%), ତେଲେଙ୍ଗାନା (୩.୬%), ବିହାର (୨.୧%) ଓ କେରଳ (୦.୧%) ପ୍ରମୁଖ ରାଜ୍ୟମାନେ ଅଛନ୍ତି।

ଶିଶୁମାନଙ୍କୁ ରକ୍ତହୀନତା ରୋଗ ମାମଲାରେ ଆସାମ ସବୁଠୁ ଆଗରେ ରହିଛି। ଆସାମରେ ସର୍ବାଧିକ ୩୨.୭% ଶିଶୁ ରକ୍ତହୀନତାର ଶିକାର ହୋଇଥିବାବେଳେ ତେଲେଙ୍ଗାନାର ୧୯.୩%, ଜମ୍ମୁ-କାଶ୍ମୀରର ୧୮.୯%, ଗୁଜରାଟର ୧୭.୧%, ମହାରାଷ୍ଟ୍ରର ୧୫.୧%, ପଶ୍ଚିମବଙ୍ଗର ୧୪.୮%, ବିହାରର ୫.୯%, ଆନ୍ଧ୍ରପ୍ରଦେଶର ୪.୬%, କେରଳର ୩.୭% ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର