କଠୁଆର ନିର୍ଭୟା, ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା

ଶ୍ରୀନଗର: ଗତ ଜାନୁଆରି ୧୭ ତାରିଖରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ବର୍ବରତା ଏବେ ସାମ୍ନାକୁ ଆସିଛି। ଏହି ମାମଲାର ଚାର୍ଜସିଟ୍‌ରେ ରହିଥିବା ଲୋମଟାଙ୍କୁରା ତଥ୍ୟ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହି ଜଘନ୍ୟ ଅପରାଧରେ ପୁଲିସ ଅଧିକାରୀମାନେ ସିଧାସଳଖ ସମ୍ପୃକ୍ତ ଥିବା ଘଟଣା ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଗତ ଜାନୁଆରି ୧୦ ତାରିଖରେ କଠୁଆ ଜିଲ୍ଲାର ରସନା ଗ୍ରାମରେ ଯାଯାବର ‘ବଖେରଓ୍ଵାଲ୍‌’ ମୁସଲିମ୍‌ ସମ୍ପ୍ରଦାୟର ଜଣେ ୮ ବର୍ଷୀୟା ଶିଶୁକୁ ତା’ ଘର ନିକଟରୁ ଅପହରଣ କରି ନିଆଯାଇଥିଲା। ଏହାର ୭ ଦିନ ପରେ ଜାନୁଆରି ୧୭ ତାରିଖରେ ବାଳିକାର ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଶିଶୁଟିକୁୁ ଏକ ମନ୍ଦିରରେ ରଖି ବାରମ୍ବାର ଦୁଷ୍କର୍ମ ପରେ ପଥରରେ ଛେତି ହତ୍ୟା କରାଯାଇଥିଲା। ଜାନୁଆରି ୧୨ ତାରିଖରେ ପୀଡ଼ିତାଙ୍କ ବାପା ପୁଲିସରେ ଏଫଆଇଆର ରୁଜୁ କରିଥିଲେ। ପୁଲିସ ଏହି ମାମଲାରେ ଡୋଗ୍ରା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ବଖେରଓ୍ଵାଲ ସମ୍ପ୍ରଦାୟର ଅଭିଯୋଗରେ ମାମଲାଟିକୁ କ୍ରାଇମବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯାଇଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଣେ ରାଜସ୍ୱ ଅଧିକାରୀ ସଞ୍ଜି ରାମ ବୋଲି ଦର୍ଶାଯାଇଛି। ଜମ୍ମୁ କଶ୍ମୀର ପୁଲିସ କ୍ରାଇମବ୍ରାଞ୍ଚ୍‌ ଏହି ମାମଲାରେ ଜିଲ୍ଲା କୋର୍ଟରେ ୧୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛନ୍ତି। ମାମଲାରେ ସମୁଦାୟ ୮ ଜଣଙ୍କ ବିରୋଧରେ ପୁଲିସ ଚାର୍ଜଫ୍ରେମ୍‌ କରିଛି।

ଏହି ମାମଲା ଏବେ କଠୁଆରେ ସାମ୍ପ୍ରଦାୟିକ ରୂପ ନେଇଛି। ଅଭିଯୁକ୍ତଙ୍କ ସମର୍ଥନରେ ରାଜନେତାଙ୍କ ଦ୍ୱାରା ଗଠିତ ହିନ୍ଦୁ ଏକତା ମଞ୍ଚ ରାସ୍ତାକୁ ଓହ୍ଲାଇଛି । ମେହବୁବା ମୁଫ୍‌ତି ସରକାରରେ ଥିବା ଦୁଇଜଣ ବିଜେପି ମନ୍ତ୍ରୀ ଲାଲ୍‌ ସିଂହ ଏବଂ ଚନ୍ଦ୍ର ପ୍ରକାଶ ଗଙ୍ଗା ମୁଖ୍ୟ ପୁରୋଧା ଭାବେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୁଫ୍‌ତି ଆଜି ଏହି ମାମଲାରେ କଠୋର ଆଭିମୁଖ୍ୟ ପୋଷଣ କରି କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ ସାମାନ୍ୟତମ ବାଧା ଉପୁଜିବ ନାହିଁ ଏବଂ ପୀଡ଼ିତାକୁ ନ୍ୟାୟ ମିଳିବ। ମାମଲାର ଫାଷ୍ଟ୍‍ ଟ୍ରାକ୍‌ କୋର୍ଟରେ ଶୁଣାଣି କରିବାକୁ ସରକାର ଘୋଷଣା କରିଛନ୍ତି।

ଚାର୍ଜସିଟ୍‌ରେ ଲୋମଟାଙ୍କୁରା ତଥ୍ୟ, ଗଣ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ଅଭିଯୁକ୍ତଙ୍କ ସପକ୍ଷରେ ବିଜେପି ମନ୍ତ୍ରୀ

କଠୁଆ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଏବେ ଜମ୍ମୁ ବାର୍‌ ଆସୋସିଏସନ୍‌ର ଆଇନଜୀବୀମାନେ ଅଣ୍ଟା ଭିଡ଼ିଛନ୍ତି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ରାଜ୍ୟ ସରକାରଙ୍କ ଦୁଇ ବିଜେପି ମନ୍ତ୍ରୀ ମଧ୍ୟ ଦୁଷ୍କର୍ମକାରୀଙ୍କ ସମର୍ଥନରେ ବୟାନବାଜି ଜାରି ରଖିଛନ୍ତି। ଏହି ଘଟଣାକୁ ନେଇ ବିଜେପି-ପିଡିପି ସରକାରରେ ଆଗକୁ ବଡ଼ ସଙ୍କଟ ସୃଷ୍ଟି ହେବା ସମ୍ଭାବନା ରହିଛି। ଡୋଗ୍ରା ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି ଏହି ଷଡ଼ଯନ୍ତ୍ର ହୋଇଛି ବୋଲି ଦାବି କରି ଜମ୍ମୁ ଓକିଲ ସଂଘର ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି ଯେ ପୁଲିସ ରାଜନୈତିକ ଚାପରେ କାମ କରୁଛି। ସେମାନେ ମଧ୍ୟ ମାମଲାରେ ସିବିଆଇ ତଦନ୍ତ ପାଇଁ ଜୋର୍‌ଦାର ଦାବି କରିଛନ୍ତି।

ହତ୍ୟା ପୂର୍ବରୁ ପୁଲିସ କର୍ମୀ ଦୁଷ୍କର୍ମ କରିଥିଲେ

ଶ୍ରୀନଗର: କଠୁଆରେ ୮ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜମ୍ମୁ କଶ୍ମୀର ପୁଲିସ ପ୍ରସ୍ତୁତ କରିଥିବା ୧୫ ପୃଷ୍ଠାର ଚାର୍ଜସିଟ୍‌ରେ ଅପରାଧୀଙ୍କ ବର୍ବରତା ସହ ପୁଲିସର ଜଘନ୍ୟ ଚେହେରା ମଧ୍ୟ ପଦାକୁ ଆସିଛି। କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ସଞ୍ଜି ରାମ ପୁଲିସ ସହ ସଲାସୁତରାରେ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରାୟ ୪୦ରୁ ଅଧିକ ପରିବାରକୁ ଉଚ୍ଛେଦ କରିବାକୁ ଚାହୁଥିଲା। ସଞ୍ଜିରାମ୍‌ ଏହି ସଂଖ୍ୟାଲଘୁ ପରିବାରକୁ ଭୟଭୀତ କରି ହଟାଇବାକୁ ପ୍ରାୟ ୨ ବର୍ଷ ତଳୁ ଯୋଜନା କରୁଥିଲା। ଏଥିପାଇଁ ସେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ତା’ର ଅନ୍ୟ ୬ ଜଣ ସହଯୋଗୀ ଏବଂ ଦୁଇ ଜଣ ପୁଲିସ କର୍ମୀଙ୍କ ଜାଣତରେ ନାବାଳିକାକୁ ଉଠାଇ ନେଇଥିଲା। ପୁଲିସ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସଞ୍ଜି ରାମ୍‌ଙ୍କ ନାବାଳକ ପୁତୁରା, ପୁଅ ବିଶାଲ୍‌ ଜଙ୍ଗୋତ୍ରା, ଦୁଇ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଦୀପକ ଖଜୁରିଆ, ସୁରେନ୍ଦ୍ର ବର୍ମା ଏବଂ ସ୍ଥାନୀୟ ଯୁବକ ପ୍ରଭେଶ କୁମାର ଓରଫ ମନୁ ରହିଥିବା ଜଣାପଡ଼ିଛି । ତଦନ୍ତକାରୀ ଅଧିକାରୀ ମୁଖ୍ୟ କନେଷ୍ଟବଳ ତିଲକ ରାଜ୍‌ ଏବଂ ସବଇନ୍ସପେକ୍ଟର ଆନନ୍ଦ ଦତ୍ତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି। ତିଲକ ରାଜ ଏବଂ ଆନନ୍ଦ ଦତ୍ତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିଦେବାପାଇଁ ସଞ୍ଜି ରାମ୍‌ଙ୍କଠାରୁ ୪ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଗତ ଜାନୁଆରି ୧୦ ତାରିଖରେ ନାବାଳିକାକୁ ନିଛାଟିଆ ବୁଲୁଥିବା ଦେଖି ସଂଜିରାମର ୪ ଜଣ ସହଯୋଗୀ ଉଠାଇ ନେଇଥିଲେ। ବାଳିକାଟି ଘର ନିକଟରେ ଘୋଡ଼ା ଚରାଉଥିବା ସମୟରେ ଅପହରଣ କରାଯାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ଅପହରଣ ପରେ ବାଳିକାଟିକୁ ଅକଥନୀୟ ନିର୍ଯାତନା ଦେଇ ଏକ ମନ୍ଦିର ପରିସରରେ ବନ୍ଦୀ କରି ରଖାଯାଇଥିଲା। ବାଳିକାଟିକୁ ଲଗାତାର ନିଶା ଦ୍ରବ୍ୟ ଖୁଆଇ ଦୁଷ୍କର୍ମ କରାଯାଇଥିବା ପ୍ରମାଣ ମିଳିଛି। ତେବେ ଜଂଗଲ ସଂଲଗ୍ନ ମନ୍ଦିରଟି ସଞ୍ଜି ରାମ୍‌ଙ୍କ ପରିଚାଳନାରେ ଥିବାରୁ ଏହି ମାମଲା ପ୍ରଘଟ ହୋଇନଥିଲା। ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ମନ୍ଦିରରେ ରଖାଯିବାପରେ ସଞ୍ଜିରାମ୍‌ଙ୍କ ପୁତୁରା ପୀଡ଼ିତାକୁ ତଣ୍ଟିଚିପି ଏବଂ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା। ଶିଶୁଟିକୁ ହତ୍ୟା କରିବା ପୂର୍ବରୁ ଜଣେ ପୁଲିସ ଅଧିକାରୀ ଦୁଷ୍କର୍ମ କରିବାକୁ ଚାହିଥିଲେ ଏବଂ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଜାନୁଆରି ୧୭ ତାରିଖରେ ଉକ୍ତ ମନ୍ଦିରଠାରୁ କିଛି ଦୂରରେ ଥିବା ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର