ଚେନ୍ନାଇ: ରାଜନୈତିକ ଫାଇଦା ନିମନ୍ତେ ପିଲାମାନଙ୍କୁ ଶୋଷଣ ବା ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗକୁ ଆଧାର କରି ‘ଆପ୍’ ନେତ୍ରୀ ଆତିଶୀଙ୍କ ନାଁରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ କମିସନର୍ଙ୍କୁ ‘ନ୍ୟାସ୍ନାଲ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲଡ୍ ରାଇଟ୍ସ୍’ (ଏନ୍ସିପିସିଆର୍) ଆବେଦନ କରିଛି।
‘ବିଜେପି’ ନେତା ମନୋଜ ତିୱାରି ଦାଏର କରିଥିବା ଅଭିଯୋଗକୁ ଭିତ୍ତିକରି ‘ଏନ୍ସିପିସିଆର୍’ ଉପରୋକ୍ତ ଆବେଦନ କରିଛି। ତୁରନ୍ତ ‘ଏଫ୍ଆଇଆର୍’ ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରିବା ଲାଗି ଅନୁରୋଧ କରି ଲେଖିଥିବା ଆବେଦନ ପତ୍ରରେ ‘ଏନ୍ସିପିସିଆର୍’ କହିଛି ଯେ, ଆତିଶୀ ସିଂହଙ୍କ ନିର୍ଦେଶକ୍ରମେ ‘ଦିଲ୍ଲୀ ଏଜୁକେସନ୍ ଟାସ୍କ୍ ଫୋର୍ସ’ ସ୍କୁଲ୍ରେ ପଢୁଥିବା ନାବାଳକ/ନାବାଳିକାମାନଙ୍କୁ ସେମାନଙ୍କ (ଆପ୍ ନେତା) ବ୍ୟକ୍ତିଗତ ‘ଆଜେଣ୍ଡା’ ଓ ରାଜନୈତିକ ପ୍ରଚାର ଅଭିଯାନରେ ଲଗାଉଛି।
ଆବେଦନ ପତ୍ରରେ ‘ଏନ୍ସିପିସିଆର୍’ ମଧ୍ୟ ଅଭିଯୋଗ କରିଛି ଯେ, ଦିଲ୍ଲୀ ଅବକାରୀ ନିତୀ ଦୁର୍ନୀତି ଅଭିଯୁକ୍ତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମର୍ଥନ ଜଣାଇବା ପାଇଁ ଏବଂ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ନାବାଳକ/ନାବାଳିକାମାନଙ୍କୁ ଅପବ୍ୟବହାର କରାଯାଉଛି।
ଅଭିଯୋଗ ପତ୍ରରେ ‘ଏଜୁକେସନ୍ ଟାସ୍କ୍ ଫୋର୍ସ’ର ସଦସ୍ୟ ଶୈଳେଶ, ରାହୁଲ୍ ତିୱାରି, ମୈତ୍ରେୟୀ କଲେଜର ସଭାପତି ବୈଭବ ଶ୍ରୀବାସ୍ତବ ଏବଂ ତାରିଶି ଶର୍ମା ଏବଂ ଜାସ୍ମିନ୍ ଶାହଙ୍କ ନାଁ ବି ଉଲ୍ଲେଖ କରାଯାଇଛି।