ଚନ୍ଦ୍ରଗ୍ରହଣ ବେଳେ ନରବଳି ଦିଆଯାଇଥିଲା କି ? ପୁଲିସର ତଦନ୍ତ ଜାରି

ହାଇଦ୍ରାବାଦ: ଗତ ବୁଧବାର ଦିନ ହୋଇଥିବା ବିରଳ ଚନ୍ଦ୍ର ଗ୍ରହଣରେ କଣ ହାଇଦ୍ରାବାଦରେ ନରବଳି ଦିଆଯାଇଥିଲା ? ଏପରି ଏକ ମାମଲାକୁ ନେଇ ହାଇଦ୍ରାବାଦ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ହାଇଦ୍ରାବାଦର ଚିଲୁକାନଗରଠାରେ ରହୁଥିବା ବାଳାଲକ୍ଷ୍ମୀ ଗୁରୁବାରଦିନ ସକାଳେ ଉଠିବାପରେ ନିଜ ଘର ଛାତ ଉପରେ ଏକ ଶିଶୁ ମୁଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ । ଆଖପାଖରେ ରକ୍ତ ପଡିନଥିଲା ଓ ଶିଶୁମୁଣ୍ଡରେ ସିନ୍ଦୁର ଲାଗିଥିଲା । ସେ ତୁରନ୍ତ ପୁଲିସ୍‌କୁ ଖବର ଦେବାପରେ ଆଖପାଖ ଲୋକ ଜମାହୋଇ ଯାଇଥିଲେ ଓ ପୁଲିସ ମଧ୍ୟ ଆସିଯାଇଥିଲା । ଏନେଇ ତଦନ୍ତ ଆରମ୍ଭ କରି ପୁଲିସ୍‌ ଉକ୍ତ ମହିଳାଙ୍କ ଜ୍ୱାଇଁ ରାଜଶେଖର ଓ ଦୁଇଜଣ ପଡ଼ୋଶୀ ନରହରି ଓ ତା ପୁଅ ରଂଜିତକୁ ପଚରାଉଚୁରା ପାଇଁ ଅଟକ ରଖିଛି । ପୁଲିସ କୁକୁର ନରହରି ଘରଆଡକୁ ଇଂଗିତ କରିବାରୁ ତା ଉପରେ ସଂଦେହ ଦୃଢୀଭୂତ ହୋଇଛି । ସ୍ଥାନୀୟ ଲୋକମାନେ ମଧ୍ୟ ନରହରି ଓ ରଂଜିତ ଅନେକ ସମୟରେ ତନ୍ତ୍ର ପୂଜା କରୁଥିବା ପୁଲିସକୁ ଜଣାଇଛନ୍ତି ।

ଏଥରର ଚନ୍ଦ୍ରଗ୍ରହଣ ଏକ ବିରଳ ସଂଯୋଗ ଥିଲା । କେବଳ ବୈଜ୍ଞାନିକ ଦୃଷ୍ଟିକୋଣରୁ ନୁହେଁ ଆହୁରି ଅନେକ ଦୃଷ୍ଟିକୋଣରୁ ଏହା ଥିଲା ଏକ ଦୁର୍ଲ୍ଲଭ ସଂଯୋଗ । ତନ୍ତ୍ରପୂଜା ପାଇଁ ଏହାକୁ ଏକ ଦୁର୍ଲ୍ଲଭ ଅବସର ବୋଲି କେତେକ ତାନ୍ତ୍ରିକ ମନେ କରନ୍ତି । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ କେତେକ ଉପରୋକ୍ତ କାଣ୍ଡ ଘଟାଇଥାଇପାରନ୍ତି ବୋଲି ପୁଲିସ ସଂଦେହ କରୁଛି ।

ସମ୍ବନ୍ଧିତ ଖବର