ସ୍କୁଲରେ ଭଗତ ସିଂହଙ୍କ ନାଟକରେ ଭାଗ ନେବା ପରଦିନ ଗଛରେ ଝୁଲିଲା ଛାତ୍ରଙ୍କ ମୃତଦେହ
ମନ୍ଦସୌର୍: ସ୍କୁଲରେ ଭଗତ ସିଂହଙ୍କ ଉପରେ କରାଯାଉଥିବା ନାଟକରେ ଭାଗ ନେଇଥିଲେ ଛାତ୍ର। ଏହି ନାଟକର ପରଦିନ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହ ପାଖରୁ ଏକ ମୋବାଇଲ ଫୋନ ମିଳିଛି, ଯେଉଁଥିରେ ନାଟକର ଭିଡିଓ ରହିଥିବା ଦେଖିବାକୁ ପାଇଛି ପୁଲିସ। ଭିଡିଓକୁ ଦେଖି ଫାଶୀର ଅଭିନୟ କରିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଛାତ୍ରର ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ଦସୌର ଜିଲ୍ଲାର ବଡ଼ବାନ ଗ୍ରାମରେ ଥିବା ଜ୍ଞାନ ସାଗର ସ୍କୁଲରେ ଫେବ୍ରୁଆରି ୧ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭଗତ ସିଂହଙ୍କ କାହାଣୀକୁ ନେଇ ନାଟକ କରାଯାଇଥିବା ବେଳେ ମୃତ ୧୨ବର୍ଷୀୟ ଶ୍ରେୟାନ୍ସ ଜଣେ ବ୍ରିଟିଶ ଅଧିକାରୀଙ୍କ ଭୂମିକା ନିଭାଇଥିଲେ। ଏହି ନାଟକର ପରଦିନ ଫେବ୍ରୁଆରି ୨ରେ ତାଙ୍କର ମୃତଦେହ ଧାନ ବିଲ ମଝିରେ ଥିବା ଏକ ଗଛରେ ଝୁଲିଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି କରିବା ପଛର ପ୍ରକୃତ କାରଣ ପୁଲିସ ଜାଣି ପାରି ନଥିବା ବେଳେ ନାଟକରେ କରାଯାଇଥିବା ଫାଶୀର ଦୃଶ୍ୟକୁ ନିଜ ହିସାବରେ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ଅଘଟଣ ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।