ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶିଶୁ ଚାଲାଣ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କେହି ନିଃସନ୍ତାନ ଅଛନ୍ତି କିମ୍ବା ପୁଅ ଚାହାଁନ୍ତି, ତେବେ ଅନ୍ୟ କାହାର ପିଲା ଚୋରି କରି ସନ୍ତାନ ପାଇବାର ଉପାୟ ଗ୍ରହଣୀୟ ନୁହେଁ।
ଜଣେ ଅଭିଯୁକ୍ତ ଅନେକ ଦିନ ହେବ ପୁତ୍ର ସନ୍ତାନ ଚାହୁଁଥିଲେ, ତେଣୁ ସେ କିଛିଦିନ ତଳେ ୪ ଲକ୍ଷ ଟଙ୍କାରେ ପୁତ୍ର ସନ୍ତାନକୁ କିଣି ନେଇଥିଲେ। କିଣିବା ସମୟରେ ବ୍ୟକ୍ତି ଜଣକ ଜାଣିବାକୁ ପାଇଥିଲେ କି ସେ ଯେଉଁ ସନ୍ତାନକୁ କିଣୁଛନ୍ତି ତାହା ଚୋରି ହୋଇଥିବା ସନ୍ତାନ। ଅର୍ଥାତ ଉକ୍ତ ଶିଶୁକୁ ତାର ବାପା ଓ ମା’ଙ୍କ ପାଖରୁ ଚୋରି କରି ଅଣାଯାଇଛି। ଏହା ସତ୍ତ୍ବେ ବି ସେ ଶିଶୁକୁ କିଣିଥିଲେ।
କୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଆହ୍ଲାବାଦ ହାଇକୋର୍ଟ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି,‘ ଏହି ଘଟଣାରେ ଉତ୍ତର ପ୍ରଦେଶ ସରକାର ଏବଂ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ କୌଣସି ଗମ୍ଭୀରତା ଦେଖାଯାଇ ନାହିଁ। ଏହି ଘଟଣାରେ ଜାମିନ ଦେବା ସମୟରେ ହାଇକୋର୍ଟ ଅତି କମରେ ଅଭିଯୁକ୍ତ ନିକଟରେ ଏପରି ସର୍ତ୍ତ ରଖିବା ଉଚିତ ଥିଲା ଯେ ସେ ପ୍ରତି ସପ୍ତାହରେ ପୁଲିସ ଷ୍ଟେସନରେ ହାଜର ହେବେ। ଏବେ ପୁଲିସ ପାଖରେ ଏହି ଅଭିଯୁକ୍ତର କୌଣସି ରେକର୍ଡ ନାହିଁ।
ସୁପ୍ରିମକୋର୍ଟ ବାରାଣସୀ ଏବଂ ତାର ଆଖପାଖର ଡାକ୍ତରଖାନାଗୁଡ଼ିକରେ ଶିଶୁ ଚୋରି ଘଟଣାର ଶୁଣାଣି କରୁଥିଲେ। ଗତ ବର୍ଷ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ଦେଇଥିଲେ। ଏହି ଜାମିନ ପରେ ଚୋରି ହୋଇଥିବା ପିଲାମାନଙ୍କ ପରିବାର ସୁପ୍ରିମକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।