ଜୁଲାଇ-ଅଗଷ୍ଟରେ ପିଲାଙ୍କ ଟିକାକରଣ! ୧୨-୧୮ ବୟସ ବର୍ଗ ପାଇଁ ଜାଇଡସ କାଡିଲା ଟିକାର ପରୀକ୍ଷଣ ଶେଷ

ପିଲାଙ୍କ ଟିକାକରଣ ସ୍କୁଲ ଖୋଲିବା ପାଇଁ ବାଟ ଖୋଲିବ: ଗୁଲେରିଆ

ନୂଆଦିଲ୍ଲୀ: କରୋନା ଟିକା ଅଭାବଜନିତ ସଙ୍କଟ ଭିତରେ ସ୍ବଦେଶୀ ଟିକା ନିର୍ମାତା ଜାଇଡସ୍‌ କାଡିଲା ଏକ ଭଲ ଖବର ଆଣିଛି। ୧୨ରୁ ୧୮ ବର୍ଷ ବୟସ ବର୍ଗ ପାଇଁ ଜାଇଡସ୍‌ ଟିକାର ପରୀକ୍ଷଣ ସଂପୂର୍ଣ୍ଣ ହୋଇଥିବା ବେଳେ ଦେଶରେ ଜୁଲାଇ-ଅଗଷ୍ଟ ସୁଦ୍ଧା ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଦେଶର କୋଭିଡ୍‌ ଲଢ଼େଇ କ୍ଷେତ୍ରରେ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ ଏବଂ ସ୍କୁଲ୍‌ ଖୋଲିବା ପାଇଁ ରହିଥିବା ପ୍ରତିବନ୍ଧକ ହଟିପାରିବ ବୋଲି ଏମ୍‌ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। କୋଭିଡ୍‌ ୱାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡାକ୍ତର ଏନ୍‌ କେ ଆରୋରା କହିଛନ୍ତି ଯେ ଆଗାମୀ କିଛି ମାସରେ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଯିବ ଏବଂ ଏଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଜାଇଡସ କାଡିଲା ଟିକାର ପରୀକ୍ଷଣ ‌ଶେଷ ହୋଇଥିବାରୁ ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୁଲେରିଆ କହିଛନ୍ତି ଯେ ଜାଇଡସ୍‌ ଟିକା ଆସିବା ପୂର୍ବରୁ ଯଦି ଫାଇଜର ଟିକାକୁ ପିଲାଙ୍କ କ୍ଷେତ୍ରରେ ଅନୁମତି ମିଳିଯାଏ ତେବେ ଟିକାକରଣ ପ୍ରକ୍ରିୟା ନିର୍ଣ୍ଣାୟକ ମୋଡ଼ ନେବ। ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଜାଇଡସ୍‌ର ଟିକା ‘ଜାଇକୋଭ ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ଖୁବ୍‌ଶୀଘ୍ର ଆବେଦନ ହେବ ବୋଲି ସଂସ୍ଥା ପକ୍ଷରୁ ଜଣାପଡ଼ିଛି।

୨୪ ଘଣ୍ଟାରେ ୬୪.୨୫ ଲକ୍ଷଙ୍କୁ ଟିକା, ନିମ୍ନ ତାପମାତ୍ରାରେ ରହୁଥିବା ଟିକା ଗଚ୍ଛିତ ରଖିବାକୁ ଭାରତ ସକ୍ଷମ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଆଜି ସିକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ୬୪.୨୫ ଲକ୍ଷ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଆଜି ସୁଦ୍ଧା ୩୨ କୋଟି ୧୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆଗାମୀ ଦିନରେ ଦିନକୁ କୋଟିଏ ମାତ୍ରା ଦିଆଯିବାକୁ ଲକ୍ଷ୍ୟ ରହିଛି। ଅାଗକୁ ଅଧିକ ବିଦେଶୀ ଟିକା ଭାରତର ଟିକାକରଣ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଥିବା ବେଳେ ନିମ୍ନ ତାପମାତ୍ରାରେ ଟିକା ଗଚ୍ଛିତ ରଖିବା ପାଇଁ ଭାରତର ପର୍ଯ୍ୟାପ୍ତ କ୍ଷମତା ରହିଛି ରହିଛି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି। ବିଯୁକ୍ତ ୧୫ରୁ ୨୦ ଡିଗ୍ରି ସେଲ୍‌ସିୟସରେ ଟିକା ଗଚ୍ଛିତ ରଖିବା ପାଇଁ ୨୯ ହଜାର କୋଲ୍‌ଡ ଚେନ୍‌ ପଏଣ୍ଟ୍‌ ରହିଛି।

 

ସମ୍ବନ୍ଧିତ ଖବର