ନୂଆଦିଲ୍ଲୀ: କରୋନା ଭାଇରସ୍ର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଚିନ୍ତା ବଢ଼ିଛି। ଆଜି ଏ ବାବଦରେ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଶିଶୁମାନଙ୍କଠାରେ କରେନା ଭାଇରସ୍ର ସଂକ୍ରମଣ ନହେବା ଭଳି ସ୍ବତନ୍ତ୍ର ରୋଗପ୍ରତିରୋଧକତା ନାହିଁ। ବଡ଼ମାନଙ୍କ ଭଳି ସେମାନେ ବି ସଂକ୍ରମିତ ହେବେ ଏବଂ ସେମାନଙ୍କଠାରୁ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିବ। କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ବିଶେଷ ଗମ୍ଭୀର ପ୍ରଭାବ ରହିବ ନାହିଁ । ସେମାନଙ୍କଠାରେ ସାଧାରଣ ଲକ୍ଷଣ ରହିବ ବୋଲି ନିତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡ. ଭି.କେ. ପଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପଲ୍ କହିଛନ୍ତି ଯେ ଶିଶୁଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ କିମ୍ବା ଆଦୌ ଦେଖିବାକୁ ମିଳିନପାରେ। ଏଭଳି ସ୍ଥିତିରେ ସତର୍କତା ଅବଲମ୍ବନ ହିଁ ସବୁଠାରୁ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।
ଶିଶୁମାନେ ଯଦି ବହୁ ସଂଖ୍ୟାରେ କୋଭିଡ୍ ଆକ୍ରାନ୍ତ ହୁଅନ୍ତି ତା’ହେଲେ ସ୍ଥିତି ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ବଡ଼ ଧରଣର ସୁଧାର ଆଣିବାକୁ ହେବ। ଡିସେମ୍ବରରୁ ଜାନୁଆରିରେ ହୋଇଥିବା ସେରୋସର୍ଭେରୁ ଜଣାପଡ଼ିଥିଲା ଯେ ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ସେରୋପଜିଟିଭ୍ ହାର ପ୍ରାୟ ସମାନ । ତେଣୁ ପିଲାମାନଙ୍କଠାରେ ସଂକ୍ରମଣ କମ୍ ରହିବ ବୋଲି କୁହାଯାଇପାରିବ ନାହିଁ ବୋଲି ଡ. ପଲ୍ କହିଛନ୍ତି। ୧୦ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଗତିବିଧି ଅଧିକ ଥିବାରୁ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏବେ ବିଭିନ୍ନ ରାଷ୍ଟ୍ରରେ ଦୁଇ ପ୍ରକାର କୋଭିଡ୍ ଟିକାର ମିଶ୍ରଣକୁ ନେଇ ଗବେଷଣା ଚାଲିଥିବାରୁ ଏହି ପ୍ରସଙ୍ଗରେ ଡ. ପଲ୍ କହିଛନ୍ତି ଯେ ଦୁଇଟି ଭିନ୍ନ ପ୍ରକାରର କୋଭିଡ୍ ଟିକାର ମିଶ୍ରଣ ତାତ୍ତ୍ବିକ ଦୃଷ୍ଟିରୁ ସମ୍ଭବ। ତେବେ ଏହାର ପାର୍ଶ୍ବ ପ୍ରତିକ୍ରିୟା ନେଇ ଅଧିକ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଦୁଇଟି ଭିନ୍ନ ଟିକାର ମିଶ୍ରଣକୁ ନେଇ କୌଣସି ସଠିକ୍ ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି ବୋଲି ସେ କହିଛନ୍ତି।