ନୂଆଦିଲ୍ଲୀ: ଗତ ସପ୍ତାହରେ ଗାଜାରୁ ଉଦ୍ଧାର ହୋଇଥିବା ଜଣେ ଆମେରିକୀୟ ନର୍ସ ଯୁଦ୍ଧଗ୍ରସ୍ତ ଗାଜାରେ ତାଙ୍କର ଦୁଃଖଦ ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଖାଦ୍ୟ ଓ ପାଣି ଅଭାବରୁ ସେ ଏବଂ ତାଙ୍କ ଟିମ୍‌ ପ୍ରାୟ ଭୋକ ଉପାସରେ ମୃତ୍ୟୁବରଣ କରିବା ସ୍ଥିତିରେ ଥିଲେ। ତେବେ ସୌଭାଗ୍ୟ କ୍ରମେ ମୃତ୍ୟୁମୁଖରୁ ବଞ୍ଚି ଆସିଛନ୍ତି। ସେ କହିଛନ୍ତି ଯେ ଅବରୋଧ ହୋଇଥିବା ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର କ୍ରମାଗତ ବୋମାମାଡ଼ ମଧ୍ୟରେ ସେମାନେ ଅନେକ ଆହତ ପିଲାଙ୍କୁ ମଧ୍ୟ ଦେଖିଥିଲେ, ଯେଉଁମାନଙ୍କର ଶରୀର ଗଭୀର ଭାବେ ଜଳି ଯାଇଥିଲା ଆଉ ଅନେକଙ୍କର ଶରୀରର  ଅଙ୍ଗ ବି କଟି ଯାଇଥିଲା‌।

Advertisment

ସିଏନ୍‌ଏନ୍‌ ନ୍ୟୁଜ୍‌ ଆଙ୍କର ଆଣ୍ଡରସନ୍‌ କୁପରଙ୍କ ସହ ଯୁଦ୍ଧର ଭୟାବହତା ବର୍ଣ୍ଣନା କରି ଏକ ସାହାଯ୍ୟକାରୀ ଦଳ ‘ଡକ୍ଟରସ୍‌ ଓ୍ଵିିଦାଉଟ୍‌ ବର୍ଡର୍ସ’ର ନର୍ସ ତଥା ଆକ୍ଟିଭିଟି ମ୍ୟାନେଜର ଏମିଲି କାଲାହାନ୍‌ କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍‌ ଦେଖିଥିବା ପିଲାମାନଙ୍କ ମୁହଁ ଓ ବେକ ତଳକୁ  ବ୍ୟାପକ ପୋଡ଼ି ଯାଇଥିଲା। ସେଠାରେ ପିଲାମାନଙ୍କୁ ଶରଣାର୍ଥୀ ଶିବିରକୁ ପଠାଯାଉଛି, କିନ୍ତୁ ପାନୀୟ ଜଳ ଉପଲବ୍ଧ ନାହିଁ।

ଦକ୍ଷିଣ ଗାଜାରେ ଜାତିସଂଘ ଦ୍ୱାରା ପରିଚାଳିତ ଖାନ୍‌ ୟୁନିସ୍‌ ଟ୍ରେନିଂ ସେଣ୍ଟରରେ ମାତ୍ର ୪ଟି ଶୌଚାଳୟ ଥିବା ବେଳେ ସେମାନଙ୍କୁ ପ୍ରତି ୧୨ ଘଣ୍ଟାରେ ୨ ଘଣ୍ଟା ପାଇଁ ପାଣି ଦିଆଯାଉଛି। ସେ କହନ୍ତି, ଡାକ୍ତରଖାନାଗୁଡିକ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନଙ୍କୁ (ପିଲାମାନଙ୍କୁ) ତୁରନ୍ତ ଡିସଚାର୍ଜ କରି ଦିଆଯାଉଛି। ମିଳିତ ଜାତିସଂଘର ରିଲିଫ ଏଜେନ୍‌ସି ଅନୁଯାୟୀ, ଖାନ୍‌ ୟୁନିସ୍‌ ସେଣ୍ଟରରେ ୨୦,୦୦୦ରୁ ଅଧିକ ଲୋକ ରହୁଛନ୍ତି ଏବଂ ବ୍ୟକ୍ତି ପିଛା ସ୍ଥାନ ଦୁଇ ବର୍ଗ ମିଟର (ପ୍ରାୟ ୨୧ ବର୍ଗଫୁଟ)ରୁ କମ୍‌।

କାଲାହାନ୍‌ କହିଛନ୍ତି ଯେ କିଛି ପିଲା ଅଛନ୍ତି ଯେଉଁମାନଙ୍କର କ୍ଷତ ତାଜା ଥିବା ବେଳେ ଆଂଶିକ ଅଙ୍ଗହାନୀ ଘଟିଛି।  ତଥାପି ସେମାନେ ସେହି ଅବସ୍ଥାରେ ବାହାରେ ବୁଲିବାକୁ ବାଧ୍ୟ ହେଉଛନ୍ତି। ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଆମ ପାଖକୁ ଆଣି ବିକଳ ଅବସ୍ଥାରେ ପଚାରୁଛନ୍ତି, ‘ଦୟାକରି ଆପଣ ସାହାଯ୍ୟ କରିପାରିବେ କି?... ଦୟାକରି ଆପଣ ସାହାଯ୍ୟ କରିପାରିବେ କି?... କିନ୍ତୁ ଆମ ପାଖରେ କୌଣସି ପ୍ରକାରର ସାଧନ ନାହିଁ।’

ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସହାୟତା କରୁଥିବା ସଂସ୍ଥା ୟୁଏନଆରଡବ୍‌ଲ୍ୟୁଏ ଅନୁଯାୟୀ, ଗାଜାର ମୋଟ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟାର ୭୦ ପ୍ରତିଶତ ଜାତିସଂଘ ଆଶ୍ରୟସ୍ଥଳୀରେ ଶୋଚନୀୟ ଅବସ୍ଥାରେ ରହୁଛନ୍ତି। ଜଳ ଓ ପରିମଳ ପରି ମୌଳିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା କାରଣରୁ ଏହା ଜନସ୍ୱାସ୍ଥ୍ୟ ସଙ୍କଟର ଆଶଙ୍କା ସୃଷ୍ଟି କରିଛି।