ବେଙ୍ଗାଲୁରୁ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆର୍‌ସିବିର ବିଜୟ ପରେ ଭବ୍ୟ ଉତ୍ସବ ପାଳନ ହେଉଥିବା ବେଳେ ଦଳାଚକଟା ଘଟି ଏଗାର ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି।

Advertisment

ସେ ଭାବପ୍ରବଣ ହୋଇ କହିଛନ୍ତି ଯେ ‘‘ପିଲାମାନଙ୍କ ପାଇଁ ଚିନ୍ତିତ। ସେହି ଛୋଟ ପିଲାମାନେ; ଯାହାଙ୍କ ବୟସ ୧୫ ବର୍ଷ ବୟସ ମଧ୍ୟରେ ହେବ। ମୁଁ ନିଜ ଆଖିରେ ୧୦ଟି ମୃତଦେହ ଦେଖିଛି। କୌଣସି ପରିବାର ଏହି କ୍ଷତିକୁ ହଜମ କରିପାରିବ ନାହିଁ।"

ଦଳାଚକଟା ପରେ କେତେ ଶୀଘ୍ର ପରିସ୍ଥିତି ଖରାପ ହୋଇଗଲା ଏବଂ କାର୍ଯ୍ୟକ୍ରମସ୍ଥଳରେ ଥିବା ଅଧିକାରୀମାନେ ତାଙ୍କୁ କିପରି ଖବର ​​ଜଣାଇଥିଲେ ତାହା ମଧଡ଼୍ୟ ବର୍ଣ୍ଣନା କରିଥିଲେ ଶିବକୁମାର୍‌।

ସେ କହିଛନ୍ତି, "ପୁଲିସ କମିସନର ମୋତେ ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବାକୁ କହିଥିଲେ। ମୁଁ କାର୍ଯ୍ୟକ୍ରମ ଶୀଘ୍ର ସମାପ୍ତ କରିଥିଲି। ସେ ମୋତେ କହିଥିଲେ ଯେ ୧-୨ ଜଣଙ୍କ ଜୀବନ ଯାଇଛି। କାର୍ଯ୍ୟକ୍ରମ ଶୀଘ୍ର ଶେଷ କରନ୍ତୁ। ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରନ୍ତୁ,"।

ବୁଧବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିବା ପରେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ସାର୍ବଜନୀନ ଉତ୍ସବ ସମୟରେ ଦଳାଚକଟା ହୋଇଥିଲା।

କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ବେଙ୍ଗାଲୁରୁ ଦଳାଚକଟାରେ ଆହତ ହୋଇଥିବା ଲୋକଙ୍କୁ ବୋରିଂ ଏବଂ ଲେଡି କର୍ଜନ୍‌ ହସ୍ପିଟାଲରେ ଭେଟିବା ପରେ କହିଛନ୍ତି, ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଦୁଃଖଦ ଘଟଣା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ସମ୍ବେଦନହୀନ ଆଚରଣ ଦେଖାଇବା ଦୁର୍ଭାଗ୍ୟଜନକ। ସରକାର ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି। ଅନେକ ଆହତ ଆଇସିୟୁରେ ଅଛନ୍ତି ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି।