ଦେଶରେ କରୋନାଭାଇରସ୍ ମହାମାରୀ ସଙ୍କଟ ଯୋଗୁଁ ପଢ଼ା ଛାଡ଼ିଲେଣି ଅନେକ ପରିବାରର ପିଲା: ସର୍ଭେ

ନୂଆଦିଲ୍ଲୀ: କରୋନଭାଇରସ୍‌ ସଂକ୍ରମଣ ମଧ୍ୟରେ ସର୍ଭେ ହୋଇଥିବା ପରିବାରଗୁଡ଼ିକରୁ ୬୨% ପରିବାରର ପିଲାମାନେ ପାଠଶାଠ ପଢୁ ନ ଥିବା ଜଣାପଡ଼ିଛି। ଶିଶୁ ଅଧିକାର ଏନ୍‌ଜିଓ ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ୧୫ଟି ରାଜ୍ୟର ୭, ୨୩୫ଟି ପରିବାରରେ ‘ରାପିଡ୍ ନିଡ୍‌ସ୍ ଆସେସ‌୍‌ମେଣ୍ଟ୍‌’ କରିଥିଲା। ୨୦୨୦ ଜୁନ୍ ୭ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ କରାଯାଇଥିଲା।

ଦେଶର ଉତ୍ତରାଞ୍ଚଳରେ ୩, ୮୨୭, ଦକ୍ଷିଣାଞ୍ଚଳରେ ୫୫୬, ପୂର୍ବାଞ୍ଚଳରେ ୧,୭୨୨ ଏବଂ ପଶ୍ଚିମାଞ୍ଚଳରେ ୧,୧୩୦  ପରିବାର ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିଲେ।

ହିସାବରୁ ଜଣାପଡ଼ିଲା ଯେ, ସର୍ଭେ ହୋଇଥିବା ସମୁଦାୟ ପରିବାରଗୁଡ଼ିକରୁ ୬୨% ପରିବାରର ପିଲାମାନେ ପାଠ ପଢ଼ା ଛାଡ଼ି ଦେଇଛନ୍ତି। ଉତ୍ତରାଞ୍ଚଳରେ ସର୍ଭେ ହୋଇଥିବା ପରିବାରଗୁଡ଼ିକରୁ ୬୪% ପରିବାରର ପିଲାମାନେ ପାଠପଢ଼ା ଛାଡ଼ି ଦେଇଥିବା ବେଳେ ଦକ୍ଷିଣାଞ୍ଚଳରେ ୪୮% ପିଲା ପାଠ ଛାଡ଼ି ଦେଇଛନ୍ତି। ଏହି ସର୍ଭେ ଆକଳନ ଉପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଏହି ପରିବାରଗୁଡ଼ିକ ମଧ୍ୟରୁ ଦୁଇ ପଞ୍ଚମାଂଶ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପିଲାଏ ମଧ୍ୟାହ୍ନ ଭୋଜନ ପାଉନାହାନ୍ତି।

Image Courtesy of Maalaimalar

ସର୍ଭେରେ ସାମିଲ ହୋଇଥିବା ଯେକୌଣସି ୫ଟି ପରିବାରରୁ ୨ଟି ପରିବାର ଅଭିଯୋଗ କରୁଛନ୍ତି ଯେ, ସେମାନେ ସ୍କୁଲ୍ କିଂବା ଶିକ୍ଷା ବିଭାଗରୁ ସେମାନଙ୍କ ପିଲାଙ୍କ ପାଇଁ କୌଣସି ସହାୟତା ପାଉନାହାନ୍ତି। ପୂର୍ବାଞ୍ଚଳରେ ୫୨%, ଦକ୍ଷିଣାଞ୍ଚଳରେ ୪୦%, ଉତ୍ତରାଞ୍ଚଳରେ ୩୯% ଏବଂ ପଶ୍ଚିମାଞ୍ଚଳରେ ୩୪% ପରିବାର କହିଛନ୍ତି କି, ସେମାନେ ପିଲାମାନଙ୍କର ଶିକ୍ଷା ନିମନ୍ତେ କୌଣସି ପ୍ରକାର ସହଯୋଗ ପାଉନାହାନ୍ତି। ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ, ମଫସଲ ଅଞ୍ଚଳର ୪୨% ଏବଂ ନଗରାଞ୍ଚଳର ୪୦% ପରିବାର ପିଲାଙ୍କ ଶିକ୍ଷା ସହାୟତାରୁ ବଞ୍ଚିତ ରହିଛନ୍ତି।

ଏହାଛଡ଼ା ୧୪% ପରିବା‌ରରେ ସ୍ମାର୍ଟ ଫୋନ୍ ନାହିଁ କିଂବା ଅନ୍‌-ଲାଇନ୍ କ୍ଲାସ୍‌ରେ ଯୋଗ ଦେବାକୁ ଇଣ୍ଟର୍‌ନେଟ୍ ବ୍ୟାଣ୍ଡ୍‌ୱିଡ୍‌ଥ୍ ସଂଯୋଗ ଆବଶ୍ୟକ କରୁଛନ୍ତି।

 

 

ସମ୍ବନ୍ଧିତ ଖବର