ଜାତିସଂଘ: ଏକବିଂଶ ଶତାବ୍ଦୀ ମଧ୍ୟଭାଗରେ ଜନସଂଖ୍ୟାଗତ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ବୈଷୟିକ ପରିବର୍ତ୍ତନ ପିଲାମାନଙ୍କ ପାଇଁ ଏକ ଅନ୍ଧକାର ଭବିଷ୍ୟତ ରଚିବାର ବିପଦ ସୃଷ୍ଟି କରୁଛି ବୋଲି ଜାତିସଂଘର ଶିଶୁ ଏଜେନ୍ସି ମଙ୍ଗଳବାର ଏକ ବାର୍ଷିକ ରିପୋର୍ଟରେ ଚେତାବନୀ ଦେଇଛି। ୨୦୫୦ ସୁଦ୍ଧା ପିଲାମାନେ ୮ ଗୁଣ ଅଧିକ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେବେ ବୋଲି ୟୁନିସେଫ୍ କହିଛି। ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦେଶିକା କ୍ୟାଥରିନ ରସେଲ ଏକ ବିବୃତିରେ କହିଛନ୍ତି ଯେ ପିଲାମାନେ ଜଳବାୟୁ ଝଟକାଠାରୁ ଆରମ୍ଭ କରି ଅନ୍ଲାଇନ୍ ବିପଦ ପର୍ଯ୍ୟନ୍ତ ଅନେକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ଅଧିକ ତୀବ୍ର ହେବାକୁ ଯାଉଛି। ଚଳିତ ବର୍ଷ ୟୁନିସେଫ ଏହାର ରିପୋର୍ଟକୁ ବ୍ୟବହାର କରି ୨୦୫୦ ପୂର୍ବରୁ ତିନୋଟି ପ୍ରମୁଖ ଧାରା ଚିହ୍ନଟ କରିଛି ଯାହା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିବ।
ପ୍ରଥମ ବିପଦ ହେଉଛି ଜନସଂଖ୍ୟା ପରିବର୍ତ୍ତନ, ଯେଉଁଥିରେ ପିଲାଙ୍କ ସଂଖ୍ୟା ବର୍ତ୍ତମାନର ୨.୩ ବିଲିୟନ ସଂଖ୍ୟା ସହିତ ସମାନ ରହିବ ବୋଲି ଆଶା କରାଯାଉଛି, କିନ୍ତୁ ସେମାନେ ପ୍ରାୟ ୧୦ ବିଲିୟନର ବୃହତ୍ ଓ ବୟସ୍କ ବିଶ୍ୱ ଜନସଂଖ୍ୟାର ଏକ ଛୋଟ ଅଂଶକୁ ପ୍ରତିନିଧିତ୍ୱ କରିବେ। ସବୁ ଅଞ୍ଚଳରେ ପିଲାଙ୍କ ଅନୁପାତ ହ୍ରାସ ପାଇବ, କିନ୍ତୁ କେତେକ ଗରିବ ଅଞ୍ଚଳ, ବିଶେଷ କରି ସବ୍-ସାହାରା ଆଫ୍ରିକାରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବାର ସମ୍ଭାବନା ରହିଛି, କିନ୍ତୁ ନୂତନ ଯୁବ ଜନସଂଖ୍ୟାକୁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଚାକିରି ମିଳିଲେ ହିଁ ଏହା ସମ୍ଭବ ହେବ ବୋଲି ୟୁନିସେଫ୍ କହିଛି। କେତେକ ବିକଶିତ ଦେଶରେ, ୨୦୫୦ ସୁଦ୍ଧା ପିଲାମାନେ ଜନସଂଖ୍ୟାର ୧୦ ପ୍ରତିଶତରୁ କମ୍ ହେବେ, ଯାହା ବୟସ୍କ ଜନସଂଖ୍ୟା ଉପରେ କେନ୍ଦ୍ରିତ ସମାଜରେ ସେମାନଙ୍କର ଦୃଶ୍ୟମାନତା ଓ ଅଧିକାର ବିଷୟରେ ଚିନ୍ତା ସୃଷ୍ଟି କରିଛି।
ଦ୍ବିତୀୟ ବିପଦ ହେଉଛି ଜଳବାୟୁ ପରିବର୍ତ୍ତନ। ଯଦି ବର୍ତ୍ତମାନର ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ଧାରା ଜାରି ରହେ, ତେବେ ୨୦୫୦ ସୁଦ୍ଧା ପିଲାମାନେ ୨୦୦୦ ତୁଳନାରେ ୮ ଗୁଣ ଅଧିକ ଗ୍ରୀଷ୍ମପ୍ରବାହ, ତିନି ଗୁଣ ଅଧିକ ଭୟଙ୍କର ବନ୍ୟା ଏବଂ ୧.୭ ଗୁଣ ଅଧିକ ଜଙ୍ଗଲ ନିଆଁର ସମ୍ମୁଖୀନ ହେବେ ବୋଲି ୟୁନିସେଫ୍ ଆକଳନ କରିଛି। ତୃତୀୟ ବିପଦ ହେଉଛି ବୈଷୟିକ ପରିବର୍ତ୍ତନ। ନୂତନ ଜ୍ଞାନକୌଶଳ, ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୂତନ ଉଦ୍ଭାବନ ଓ ପ୍ରଗତିକୁ ଶକ୍ତି ପ୍ରଦାନ କରିବାର କ୍ଷମତା ରଖିଛି କିନ୍ତୁ ଏହା ଧନୀ ଓ ଗରିବ ଦେଶ ମଧ୍ୟରେ ବିଦ୍ୟମାନ ଅସମାନତାକୁ ମଧ୍ୟ ବ୍ୟାପକ କରିପାରେ। ବିକଶିତ ଦେଶମାନଙ୍କରେ ଆନୁମାନିକ ୯୫ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟର୍ନେଟ୍ ସୁବିଧା ଥିବା ବେଳେ ଅଳ୍ପ ବିକଶିତ ଦେଶମାନଙ୍କରେ ମାତ୍ର ୨୬ ପ୍ରତିଶତ ଲୋକଙ୍କ ଏହି ସୁବିଧା ରହିଛି। ଏହା ଗରିବ ଦେଶର ପିଲାମାନଙ୍କ ବିକାଶରେ ମଧ୍ୟ ବାଧା ସୃଷ୍ଟି କରିବ।