ରାସ୍ତାରେ ଯାଉଥିବା ମସଲା ବ୍ୟବସାୟୀଙ୍କ ଉପରକୁ ଲମ୍ଫ ଦେଇ କାମୁଡ଼ି ପକାଇଲା ଭାଲୁ

ତାଙ୍କୁ ରକ୍ଷା କରିବାକୁ ଚିତ୍କାର କରୁଥିବା ଆଉ ଦୁଇଜଣଙ୍କୁ ମଧ୍ୟ କାମୁଡ଼ି ପକାଇଲା ଭାଲୁ

ଚେନ୍ନାଇ: ଶନିବାର ଦିନ ତାମିଲନାଡୁର ତେନକାଶୀ ଜିଲ୍ଲା ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଗୋଟାଏ ଭାଲୁ ୩ଜଣ ବ୍ୟକ୍ତିଙ୍କୁ ଆହତ କରିଥିବା କଥା ପୁଲିସ କହିଛି।

ସେମାନଙ୍କ ମଧ୍ୟରେ ଅଛନ୍ତି ଭାଲୁ କବଳରେ ପଡ଼ିଥିବା ବ୍ୟକ୍ତିଜଣଙ୍କୁ ଉଦ୍ଧାର କରିବାକୁ ଚିତ୍କାର କରୁଥିବା ଦୁଇଜଣ ବ୍ୟକ୍ତି।

ଆକ୍ରମଣ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ତଳେ ପଡ଼ିଥିବା ଲୋକଟି ଉପରେ ଭାଲୁଟି ଚଢ଼ିଯାଇ ତା’ର ମୁହଁକୁ ଅତି ନିର୍ମମ ଭାବେ କାମୁଡ଼ି ପକାଉଛି। ଭାଲୁକୁ ଘଉଡ଼ାଇ ଦେବା ପାଇଁ ଚାରି ପଟେ ଥାଇ ଚିତ୍କାର କରୁଥିବା ଲୋକଙ୍କ ଡରାଣକୁ ମଧ୍ୟ ସେ ଖାତିର କରୁନାହିଁ।

Image Courtesy of India Today

ସଂଗୃହୀତ ସୂଚନା ଅନୁସାରେ, କାରୁତିଲିଙ୍ଗପୁରମ୍‌ର ବୁଲା ବ୍ୟବସାୟୀ ବୈଗୁଣ୍ଡାମଣି ବାଇକ୍‌ରେ ମସଲା ପ୍ୟାକେଟ୍‌ ନେଇ ଶିବଶୈଳମ୍‌ରୁ ପେତାନପଲ୍ଲୀ ଯିବା ସମୟରେ ଘଟଣାଟି ଘଟିଥିଲା। ସେ ଅରଣ୍ୟ ମଧ୍ୟରେ ପଡ଼ିଥିବା ରାସ୍ତା ବାଟେ ଯିବା ବେଳେ ଭାଲୁଟାଏ ଲମ୍ଫ ମାରି ବୈଗୁଣ୍ଡାମଣିଙ୍କୁ ତଳେ ପକାଇ ଦେଇ ପୁଳାଏ ଲେଖାଁ କାମୁଡ଼ି ପକାଇଥିଲା।

Image Courtesy of NDTV

ପଥିକମାନେ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ଏ ବିଷୟରେ ସୂଚନା ଦେବା ପରେ ସେମାନେ ଆସି ଭାଲୁଟିକୁ ଘଉଡ଼ାଇବା ଲାଗି ଟେକାପଥର ଫିଙ୍ଗିଲେ। କିନ୍ତୁ, ଭାଲୁ ସେସବୁକୁ ଭ୍ରୂକ୍ଷେପ କଲାନାହିଁ। ଓଲଟି ଘେରିଥିବା ଲୋକମାନଙ୍କ ଆଡ଼କୁ ଝପଟି ଯାଇ ନଗେନ୍ଦ୍ର ଓ ଶୈଳେନ୍ଦ୍ର ନାମରେ ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ପକାଇଲା।

ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତିନି ଆହତଙ୍କୁ ଚିକିତ୍ସା ନିମନ୍ତେ ତିରୁନେଲବେଲି ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ନେଇଥିଲେ। ତା’ପରେ ସେମାନେ ଆଖପାଖରେ ଅନୁସରଣ କରି ଭାଲୁର ସନ୍ଧାନ ପାଇଲେ ଓ ଟ୍ରାଙ୍କ୍ୟୁଲାଇଜ୍‌ କରି ତାକୁ ଧରିନେଲେ।

ବନ ଅଧିକାରୀମାନଙ୍କ କହିବା ଅନୁସ‌ାରେ, ଏ ଅଞ୍ଚଳରେ ମେଣ୍ଢାମାନଙ୍କୁ ଭାଲୁ ଆକ୍ରମଣ କରିବା ସାଧାରଣ ଘଟଣା। ପ୍ରଥମ ଥର ପାଇଁ ଏଠାରେ ଭାଲୁଟାଏ ମଣିଷଙ୍କୁ ଆକ୍ରମଣ କରିଛି।

ସମ୍ବନ୍ଧିତ ଖବର