ମାସୁଦ ଆଝାରକୁ ଚୀନ୍‌ର ଏତେ ଡର!

ନୂଆଦିଲ୍ଲୀ: ଚୀନ ଗୋଟିଏ ପଟେ ନିଜ ଦେଶରେ ମୁସଲିମ ସଂପ୍ରଦାୟ ଉପରେ ଦମନଲୀଳା ଚଳାଇଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ଆତଙ୍କବାଦୀ ମସୁଦ ଆଝାରକୁ ଖୋଲାଖୋଲି ସମର୍ଥନ ଦେଉଛି। ସାରା ବିଶ୍ବ ଆଝାର ବି‌ରୋଧରେ ଏକାଠି ହୋଇଥିବା ବେଳେ ଚୀନ ଏହି ପାକିସ୍ତାନୀ ଆତଙ୍କବାଦୀ ସପକ୍ଷରେ ପର୍ବତ ଭଳି ଠିଆ ହୋଇ ସୁରକ୍ଷା ଦେଉଛି। ଗୋଟିଏ ପ୍ରସଙ୍ଗରେ ଚୀନର ଦୁଇ ପ୍ରକାର ଆଭିମୁଖ୍ୟକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି।
ସୂଚନା ଥାଉ କି, ଚୀନର ଜିଙ୍ଗଜିଆଙ୍ଗ ପ୍ରଦେଶ ହେଉଛି ମୁସଲିମ ବହୁଳ ଅଞ୍ଚଳ। ଏହି ପ୍ରଦେଶର ୨୦ ଲକ୍ଷରୁ ଅଧିକ ଲୋକ ହେଉଛନ୍ତି ମୁସଲମାନ ସଂପ୍ରଦାୟର। କିନ୍ତୁ ଚୀନ ସରକାର ସେମାନଙ୍କୁ ସେମାନଙ୍କ ଧର୍ମ ରାସ୍ତାରେ ଯିବାକୁ ଦେଉନାହିଁ। ସେଠାରେ ପ୍ରାର୍ଥନା ଉପ‌େରେ କଟକଣା ଜାରି କରାଯାଇଛି। ମସଜିଦଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଇସଲାମ ଧର୍ମ ବଦଳରେ କମ୍ୟୁନିଷ୍ଟ ଚିନ୍ତାଧାରା ଅାପଣାଇବା ଲାଗି ସେମାନଙ୍କ ଉପରେ ବଳ ପ୍ରୟୋଗ କରାଯାଉଛି। ୧୦ ଲକ୍ଷ ମୁସଲମାନ ମହିଳା ଓ ପୁରୁଷଙ୍କୁ ବିଭିନ୍ନ ଜେଲରେ ଅଟକ ରଖାଯାଇ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏହାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି। କିନ୍ତୁ ଚୀନ ପୂର୍ବଭଳି ଦମନଲୀଳା ଜାରି ରଖିଛି।
ଯେଉଁ ଇସଲାମ ଧର୍ମକୁ ବିରୋଧ କରି ଚୀନ ଦମନଲୀଳା ଚଳାଇଛି ସେହି ଧର୍ମ ଅନୁସରଣକ‌ାରୀ ବୋଲି ଦାବି କରୁଥିବା ଏବଂ ଧର୍ମ ନାମରେ ଆତଙ୍କବାଦ ଚଳାଇଥିବା ଜଣେ ବ୍ୟକ୍ତିକୁ ଏଭଳି ସମର୍ଥନ (ଆଖିବୁଜି) ଦେଉଛି କିପରି। ମିଳିଥିବା ସୂଚନା ଅନୁଯାୟୀ ଏହା ପଛରେ କେବଳ ଚୀନର ହିଁ ସ୍ବାର୍ଥ ରହିଛି। ଚୀନ ନିଜର ବ୍ୟବସାୟ ସ୍ବାର୍ଥ ଲାଗି ପାକିସ୍ତାନରେ ‌େଯଉଁ ବୃହତ୍ ପ୍ରକଳ୍ପ ହାତକୁ ନେଇଛି ତାହା ହେଉଛି ଚୀନର ଦୋମୁହାଁ ନୀତି ପଛର ମୂଳ କାରଣ। ଏହି ପ୍ରକଳ୍ପ ଯେଉଁ ଯେଉଁ ସ୍ଥାନରେ ରହିଛି ସେଠାରେ ଆଝାରର ଆତଙ୍କବାଦୀ ସଂଗଠନର ପ୍ରଭାବ ରହିଛି। ଜାତିସଂଘରେ ଆଝାରକୁ ଚୀନ ବିରୋଧ କଲେ ଏହିସବୁ ପ୍ରକଲ୍ପ ବନ୍ଦ ହୋଇଯିବ। ଏହି ଭୟରେ ଚୀନ ଆଝାରକୁ ସୁରକ୍ଷା ଦେଇ ଆସୁଛି।
ଆଫ୍ରିକା ଏବଂ ପଶ୍ଚିମ ଏସୀୟ ଦେଶଗୁଡ଼ିକ ସହିତ ବ୍ୟବସାୟ ବଢ଼ାଇବା ଲାଗି ଚୀନ ଓ ପାକିସ୍ତାନର ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଏହାର ନାମ ହେଉଛି ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)। ସଡ଼କ ପଥ ଓ ରେଳ ପଥ ଜରିଆରେ ଚୀନର କାସଗାରକୁ ପାକିସ୍ତାନର ଗୱାଦାର ଏବଂ କରାଚୀ ବନ୍ଦରକୁ ଯୋଡ଼ିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ହୋଇପାରିଲେ ଏହି ଦୁଇ ବନ୍ଦର ଦେଇ ଆଫ୍ରିକା ଏବଂ ପଶ୍ଚିମ ଏସିଆ ସହିତ ଚୀନ୍‌ର ବ୍ୟବସାୟ ସହଜ ହୋଇପାରିବ। କେବଳ ପରିବହନ ନୁହେଁ, ବିଭିନ୍ନ ସ୍ଥାନରେ ଚୀନ ବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ ସ୍ଥାପନ କରୁଛି। ୪ ଲକ୍ଷ ୩୪ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ କାମରେ ଚୀନର ହଜାର ହଜାର ଇଞ୍ଜିନିୟର ଓ ଶ୍ରମିକ ନିୟୋଜିତ ଅଛନ୍ତି। ପ୍ରକଳ୍ପ କାମ ସଂପନ୍ନ ହେଲେ ଗୱାଦାର ବନ୍ଦରରେ ଚୀନର ୫୦ ହଜାର ଲୋକ ରହିବେ ବୋଲି ଆକଳନ କରାଯାଉଛି। ସର୍ବୋପରି ଉକ୍ତ ପ୍ରକଳ୍ପ ଏବଂ ଚୀନ ‌ ଲୋକଙ୍କ ସୁରକ୍ଷା ପାଇଁ ଚୀନ ଆଝାର ସହିତ ବୁଝାମଣା କରିଛି। ପ୍ରକଳ୍ପ ସୁରକ୍ଷା ବଦଳରେ ଚୀନ ଜାତିସଂଘରେ ଆଝାରକୁ ସୁରକ୍ଷା ଦେଉଛି।

ସମ୍ବନ୍ଧିତ ଖବର