ନୂଆଦିଲ୍ଲୀ: ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଅନ୍ତର୍ଗତ ପାକିସ୍ତାନରେ ହେବାକୁ ଥିବା ୩ଟି ରାସ୍ତା ପ୍ରକଳ୍ପର ଅନୁଦାନ ବନ୍ଦ କରିବାକୁ ଚୀନ ଘୋଷଣା କରିବା ଖବର ପାକିସ୍ତାନକୁ ଆଶ୍ଚର୍ଯ୍ୟ ଚକିତ କରିିଛି। ଏଥି ସହିତ ଚୀନ୍ ପ୍ରାୟୋଜିତ ଛଅ ହଜାର କୋଟି ଡଲାରର ସିପିଇସିରୁ ଭରପୂର ଫାଇଦା ଉଠାଇବାକୁ ମନ ବଳାଇଥିବା ପାକିସ୍ତାନ ଏହି ଯୋଜନାର ସଫଳ ରୂପାୟନ ନେଇ ସନ୍ଦୀହାନ ହୋଇପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଥିବା ଏହି ସବୁ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଚୀନ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଏହାଦ୍ୱାରା ସଡ଼କ ପ୍ରକଳ୍ପ ବ୍ୟତିରେକ ସିପିଇସି ଅନ୍ତର୍ଗତ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟ ପ୍ରଭାବିତ ହେବ ବୋଲି ପାକିସ୍ତାନର ଅଧିକାରୀମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଉଲ୍ଲେଖ ଥାଉ କି, କିଛି ଦିନ ତଳେ ପାକ୍ ଅଧିକୃତ କଶ୍ମୀରରେ ଏକ ନଦୀବନ୍ଧ ଯୋଜନା ପାଇଁ ଚୀନ୍ ଅନୁଦାନ ଦେବାକୁ ମନାକରିବା ପରେ ପରେ ପାକିସ୍ତାନର ଗ୍ଵାଦର ବନ୍ଦର ପ୍ରକଳ୍ପରେ ଚୀନ୍ ମୁଦ୍ରା ବିନିଯୋଗକୁ ପାକିସ୍ତାନ ବିରୋଧ କରିଥିଲା। ଏଭଳି ସ୍ଥିତିରେ ଚୀନ୍ ଏପରି ତିନି ତିନିଟି ପ୍ରକଳ୍ପର ଅନୁଦାନ ବନ୍ଦ କରିବା ଘଟଣା ତଥାକଥିତ ସବୁଦିନିଆ ବନ୍ଧୁ ଚୀନ୍-ପାକିସ୍ତାନ ସମ୍ପର୍କରେ ଭଟ୍ଟା ପଡ଼ିବା ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି।
ଗତ ନଭେମ୍ବର ୨୦ ତାରିଖରେ ସିପିଇସି ଅନ୍ତର୍ଗତ ସମସ୍ତ ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ପାଇଁ ପାକିସ୍ତାନ ଅଧିକାରୀମାନେ ଦୁଇ ଦେଶର ମିଳିତ କାର୍ଯ୍ୟାନ୍ଵୟନ କମିଟିରେ ଯୋଗଦେଇଥିଲେ। ମାତ୍ର ସେଠାରେ ଚୀନ୍ କର୍ତ୍ତୃପକ୍ଷ ତିନିଟି ସଡ଼କ ପ୍ରକଳ୍ପର ଅନୁଦାନ ବନ୍ଦ କରିବା ଘୋଷଣା କରିଥିଲେ। ସେଗୁଡ଼ିକ ମଧ୍ୟରେ ୮,୦୦୦ କୋଟି ପାକିସ୍ତାନୀ ମୁଦ୍ରା ମୂଲ୍ୟର ୨୧୦ କିମି ଦୀର୍ଘ ଡେରା ଇସମାଇଲ ଖାନ୍-ଝୋବ ସଡ଼କ, ୨,୦୦୦ କୋଟିର ୧୧୦ କିମି ଦୀର୍ଘ ଖୁଜଦାର-ବାସିମା ସଡ଼କ ଏବଂ ୮୫୦ କୋଟିର ୧୩୬ କିମି ଦୀର୍ଘ କାରାକୋରମ୍ ରାଜପଥ ରହିଛି। ତିନିଟି ଯାକ ସଡ଼କ ପାକିସ୍ତାନ ସରକାରଙ୍କ ନିଜସ୍ୱ ଉନ୍ନୟନ ମୂଳକ ପ୍ରକଳ୍ପରେ ପୂର୍ବରୁ ସାମିଲ ଥିବା ବେଳେ ଚୀନ୍ ପ୍ରସ୍ତାବିତ ସିପିଇସି ଅଧୀନରେ ଏହି ସବୁ ସଡ଼କ ଯାଉଥିବାରୁ ପାକିସ୍ତାନ ବେଶ ଖୁସି ଥିଲା।
ପାକିସ୍ତାନକୁ ଝଟ୍କା: ୩ଟି ସିପିଇସି ପ୍ରକଳ୍ପକୁ ଚୀନ୍ ଅନୁଦାନ ବନ୍ଦ
/sambad/media/post_attachments/wp-content/uploads/2017/12/CPFC-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)