ଅରୁଣାଚଳ ସୀମାରେ ଚୀନ୍‌ର ପୁଣି ଦାଦାଗିରି

ନୂଆଦିଲ୍ଲୀ : ଭାରତର ଅରୁଣାଚଳ ସୀମାକୁ ଲାଗି ରହିଥିବା ଅଂଚଳରେ ଏବେ ଚୀନ ସୁନା ଖଣି ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହାକୁ ନେଇ ଭାରତ- ଚୀନ୍‌ ମଧ୍ୟରେ ପୁଣିଥରେ ଡୋକଲାମ୍‌ ଭଳି ସ୍ଥିତି ଉପୁଜିବା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ଚୀନ ଏବେ ଖନନ କାର୍ଯ୍ୟ ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶିତ ହେବା ପରେ ଚୀନ୍‌ ଆଜି ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ରିପୋର୍ଟରେ ପ୍ରକାଶିତ ହୋଇଥିବା ଅଞ୍ଚଳ ଉପରେ ଚୀନ୍‌ର ସାର୍ବଭୌମ ଅଧିକାର ରହିଛି। ତେଣୁ ଚୀନ୍‌କୁ ଏଥିରୁ କେହି ଅଟକାଇ ପାରିବେନି ବୋଲି ଆଜି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ ଗଣମାଧ୍ୟମକୁ କହିଛନ୍ତି। ଚୀନ୍‌ ଏହାର ନିଜର ପରିସରରେ ନିୟମିତ ଭାବେ ଭୌଗୋଳିକ ଓ ବୈଜ୍ଞାନିକ ଗବେଷଣା କରୁଛି।

ଏହା ମଧ୍ୟ ଚୀନ୍‌ର ସାର୍ବଭୌମ ଅଧିକାର। ଗଣମାଧ୍ୟମ ଭିତ୍ତିହୀନ ଖବର ଦେବା ବନ୍ଦ କରୁ ବୋଲି ଲୁ କହିଛନ୍ତି। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‍ (ଏସ୍‌ସିଏମ୍‌ପି)ର ରିପୋର୍ଟରୁ ଜଣାଯାଇଛି ଯେ ଭାରତ ଚୀନ୍‌ ସୀମା ମଧ୍ୟରେ ଲୁଂଝେ କାଉଣ୍ଟି ଅଞ୍ଚଳରେ ଚୀନ୍‌ ଏହି ଖଣି ଖନନ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ବିପୁଳ ମାତ୍ରାରେ ସୁନା ଓ ହୀରା ରହିଥିବା ଚୀନ ସରକାର ସନ୍ଧାନ ପାଇଛନ୍ତି। ତେବେ ଚୀନର ଏଭଳି ଦାଦାଗିରି କାଏମ୍‌ ରହିଲେ ପୁଣି ଥରେ ଦୁଇ ଦେଶର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର