ଇଣ୍ଡୋ-ପାକ୍‌ ପ୍ରସଙ୍ଗରେ ମୁଣ୍ଡ ପୂରାଉଛି ଚୀନ୍‌ :ଭାରତର କଡ଼ା ଜବାବ୍‌

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ-ଚୀନ୍‌ ମଧ୍ୟରେ ଥିବା ବିବାଦର ଅନ୍ତ ଘଟାଇବାକୁ ତ୍ରିପାକ୍ଷିକ ସମ୍ମିଳନୀର ଆବଶ୍ୟକତା ରହିଥିବା ନେଇ ଚୀନ୍‌ ରାଷ୍ଟ୍ରଦୂତ ଲୁଓ ଜାହୁଇ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ଆଲୋଚନା ହେଲେ ଇଣ୍ଡୋ-ପାକ୍‌ ସମ୍ପର୍କରେ ସୁଧାର ଆସିପାରିବ। କିନ୍ତୁ ଭାରତ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଏହାକୁ ତୀବ୍ର ବିରୋଧ କରିବା ସହ ଏହି ମାମଲାରେ ତୃତୀୟ ପକ୍ଷଙ୍କ ପାଇଁ ଜାଗା ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଭୀସ୍‌ କୁମାର କହିଛନ୍ତି ଯେ, ଚୀନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରସ୍ତାବ ଔପଚାରିକ ଭାବେ ଆସିନାହିଁ,ଏହା ରାଷ୍ଟ୍ରଦୂତଙ୍କ ବ୍ୟକ୍ତିଗତ ମତ। ବିରୋଧୀ ଦଳ କଂଗ୍ରେସ ମଧ୍ୟ ଚୀନର ଏଭଳି ପ୍ରସ୍ତାବକୁ ସମାଲୋଚନା କରିଛି। ସିମଲା ଚୁକ୍ତିନାମା ମୁତାବକ, ଭାରତ-ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ହେବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ଭାରତ-ପାକିସ୍ତାନ-ଚୀନ୍‌ ତ୍ରିପାକ୍ଷିକ ସମ୍ମିଳନୀକୁ ଅତି ଗଠନମୂଳକ ଚିନ୍ତାଧାରା ବୋଲି ଚୀନ୍‌ର ରାଷ୍ଟ୍ରଦୂତ ଲୁଓ ଜାହୁଇ କହିଛନ୍ତି। ଲୁଓ କହିଛନ୍ତି ଯଦି ଚୀନ୍‌-ରୁଷ ଏବଂ ମଙ୍ଗୋଲିଆ ମଧ୍ୟରେ ସମାନ ସମ୍ମିଳନୀ ହୋଇପାରୁଛି ତେବେ ଭାରତ-ପାକିସ୍ତାନ-ଚୀନ୍‌ ତ୍ରିପାକ୍ଷିକ ସମ୍ମିଳନୀ ନହେବା ନେଇ କୌଣସି କାରଣ ନାହିଁ। ଚୀନ୍‌ ଦୂତାବାସ ଦ୍ୱାରା ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସେମିନାର୍‌ରେ ‘ବିୟଣ୍ଡ୍‌ ଉହାନ୍‌ : ହାଓ ଫାର୍‌ ଆଣ୍ଡ୍‌ ଫାଷ୍ଟ୍‍ କ୍ୟାନ୍‌ ଚାଇନା-ଇଣ୍ଡିଆ ରିଲେସନ୍ସ ଗୋ’ ନାମକ ଏକ ବିଷୟବସ୍ତୁ ଉପରେ ନିଜ ମନ୍ତବ୍ୟ ରଖି ଆଜି ଲୁଓ କହିଛନ୍ତି ଯେ କିଛି ଭାରତୀୟ ବନ୍ଧୁମାନେ ପ୍ରସ୍ତାବ ଦେଇଛନ୍ତି ଯେ ଆସନ୍ତା ଏସସିଓ ବୈଠକରେ ଭାରତ-ପାକିସ୍ତାନ-ଚୀନ୍‌ ତ୍ରିପାକ୍ଷିକ ସମ୍ମିଳନୀ ହୋଇପାରେ।

ସମ୍ବନ୍ଧିତ ଖବର