ଚୀନ୍‌ର ଚେତାବନୀ : ଇଞ୍ଚେ ଜାଗା ପାଇଁ ବି ଯୁଦ୍ଧ କରିବୁ

ଡୋକ୍‌ଲାମ୍‌ରେ ପୁଣି ରାସ୍ତା ନିର୍ମାଣ

ବେଜିଂ: ଚୀନ୍‌ ଅଧିକୃତ ଅଞ୍ଚଳରୁ ଇଞ୍ଚେ ବି ଜାଗା କେହି ଛଡ଼ାଇ ନେଇ ପାରିବେ ନାହିଁ। କୌଣସି ଦେଶର ଏଭଳି ଦୁଃସାହସକୁ ବରଦାସ୍ତ କରାଯିବନି। ଆବଶ୍ୟକ ପଡ଼ିଲେ ଚୀନ୍‌ ଗୋଟିଏ ଇଞ୍ଚ ଜାଗା ପାଇଁ ମଧ୍ୟ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଆଜି ଚୀନ୍‌ ସଂସଦ(ନ୍ୟାସନାଲ ପିପୁଲ୍ସ କଂଗ୍ରେସ)ରେ ଭାଷଣ ଦେବା ସମୟରେ ରାଷ୍ଟ୍ରପତି ଜିନ୍‌ ପିଙ୍ଗ୍‌ ଏଭଳି ଚେତାବନୀ ଦେଇଛନ୍ତି। ଦେଶର ଅଖଣ୍ଡତା ରକ୍ଷା ପାଇଁ ସରକାର କୌଣସି ବି କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ଜିନ୍‌ପିଙ୍ଗ୍‌ କହିଛନ୍ତି। ଆଜୀବନ ରାଷ୍ଟ୍ରପତି ପଦରେ ବସିବାକୁ ଚୀନ୍‌ ସମ୍ବିଧାନରେ ସଂଶୋଧନ ଆଣିସାରିଥିବା ଜିନ୍‌ ପିଙ୍ଗ୍‌ଙ୍କ ଏଭଳି ଆଭିମୁଖ୍ୟ ପଡ଼ୋଶୀ ଦେଶମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ଯଦିଓ ଜିନ୍‌ ପିଙ୍ଗ୍‌ କୌଣସି ଦେଶ ଓ ସୀମା ବିବାଦ ସମ୍ପର୍କରେ ସିଧାସଳଖ ସୂଚନା ଦେଇନାହାନ୍ତି ତଥାପି ଚୀନ୍‌ର ପ୍ରତ୍ୟେକ ପଡ଼ୋଶୀ ସହ ସୀମାବିବାଦ ଲାଗି ରହିଛି। ଗତବର୍ଷଠାରୁ ଡୋକ୍‌ଲାମ୍‌ ପ୍ରସଙ୍ଗକୁ ନେଇ ଚୀନ୍‌ ଓ ଭାରତ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ଜିନ୍‌ ପିିଙ୍ଗ୍‌ଙ୍କ ଏଭଳି ମନ୍ତବ୍ୟ ପରୋକ୍ଷରେ ଭାରତକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ପୂର୍ବ ଚୀନ୍‌ ସାଗରର ବିବାଦୀୟ ଦ୍ୱୀପଗୁଡ଼ିକରେ ମଧ୍ୟ ଉଭୟ ଭାରତ ଓ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ ଚଳାଇଛନ୍ତି। ଦକ୍ଷିଣ ଚୀନ୍‌ ସାଗର ସଂଲଗ୍ନ ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବ୍ରୁନୋଇ ଓ ତାଇଓ୍ଵାନ୍‌ ଆଦି ଦେଶ ଆଢୁଆଳରେ ଚୀନ୍‌ ସେଠାରେ ୭ଟି କୃତ୍ରିମ ଦ୍ୱୀପ ନିର୍ମାଣ କରି ସାମରିକ କେନ୍ଦ୍ର ଗଢ଼ିସାରିଛି। ଏଣେ ପଶ୍ଚିମ ପ୍ରଶାନ୍ତ ମହାସାଗରର ବିବାଦୀୟ କ୍ଷେତ୍ରକୁ ନେଇ ଦୁଇ ବିଶ୍ୱଶକ୍ତି ଚୀନ୍‌ ଓ ଆମେରିକା ମଧ୍ୟରେ ବିବାଦ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ତେବେ ନିଜ ଦେଶ ମଧ୍ୟରେ ଥିବା ବିଚ୍ଛିନ୍ନତାବାଦୀଙ୍କୁ ଚେତାବନୀ ଦେଇ ଜିନ୍‌ ପିଙ୍ଗ କହିଛନ୍ତି ଯେ କେହି ଚୀନ୍‌କୁ ଖଣ୍ଡ ଖଣ୍ଡ କରିବାର ପ୍ରୟାସ କଲେ ତାହାର ଅନ୍ତ ସୁନିଶ୍ଚିତ ଏବଂ ଇତିହାସ ସାକ୍ଷୀ ରହିବ।

ବେଜିଂ: ବିବାଦୀୟ ଡୋକ୍‌ଲାମ୍‌ କ୍ଷେତ୍ରରେ ପୁଣି ଥରେ ଚୀନ୍‌ ରାସ୍ତା ଓ ସେନା ଶିବିର ନିର୍ମାଣ ଆରମ୍ଭ କରିଥିବା କିଛି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଏଥର ଭାରତୀୟ ସେନାଙ୍କ ନଜର ଆଢୁଆଳରେ ସିକିମ୍‌ ସୀମାର ଡୋକା ଲା ନାମକ ଭାରତୀୟ ସେନା ଶିବିର ନିକଟରେ ଏହି ନୂତନ ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଏହି ଶିବିର ଠାରୁୁ ୪କିମି ଦୂରରେ ଚୀନ୍‌ ସେନାର ଉପସ୍ଥିତିରେ ୧.୩ କିମି ଲମ୍ବା ରାସ୍ତା ଓ ସୁଡ଼ଙ୍ଗ ତିଆରି ଚାଲିଛି। ଏହି ସଡ଼କ ଦ୍ୱାରା ଚୀନ୍‌ ସେନା ସହଜରେ ଦକ୍ଷିଣ ଡୋକ୍‌ଲାମର ଜାମ୍ଫେରି ଅଞ୍ଚଳରେ ପହଞ୍ଚିପାରିବ। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ମଧ୍ୟ ଚୀନ୍‌ ସେନା ଏହି ଅଞ୍ଚଳରେ ପହଞ୍ଚିବାକୁ ପ୍ରୟାସ କରିଥିଲା। ସେଠାରେ ପହଞ୍ଚିପାରିଲେ ଭାରତର ଅତି ସମ୍ବେଦନଶୀଳ ‘ଚିକେନ୍ସ ନେକ୍‌’ ଭାବେ ପରିଚିତି ସିଲିଗୁଡ଼ି କରିଡରରେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବ। ଏହା ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ ପିଙ୍ଗ୍‌ଙ୍କ ସୀମା ଅଧିକାରରେ ଯୁଦ୍ଧ କରିବାର ଅଭିମୁଖ୍ୟ ଭାରତ ପାଇଁ ବଡ଼ ଆହ୍ଵାନ ପାଲଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର