ଶେଷରେ ମାନିଲା ଚୀନ୍‌; ଗଲଓ୍ଵାନରେ ବି ଆମର ସୈନ୍ୟ ହୋଇଛନ୍ତି ନିହତ: ହେଲେ ସଂଖ୍ୟା କମ୍‌

ବେଜିଂ : ଗତ ଜୁନ ୧୫ ରାତିରେ ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ ସେନାର କିଛି ଯବାନ ମୃତ୍ୟୁବରଣ କରିଥିବା ଚୀନ ସରକାର ସ୍ୱୀକାର କରିଛନ୍ତି । ଆଜି ଚୀନ ବୈଦେଶିକ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଚୀନ ପକ୍ଷରୁ ଏହା ସ୍ୱୀକାର କରାଯିବା ସହ ମୃତକଙ୍କ ସଂଖ୍ୟା ସେମିତି କିଛି ଅଧିକ ନୁହେଁ ବୋଲି କହିଛନ୍ତି ।

ଚୀନ ପକ୍ଷରୁ ବିଭିନ୍ନ ଦେଶର କୂଟନୀତିଜ୍ଞମାନଙ୍କୁ ଡକାଇ ଏହି ସୂଚନା ଦିଆଯିବା ସହ କୁହାଯାଇଛି ଯେ ଏହି ଉତ୍ତେଜନା ବଢିବା ପାଇଁ ଭାରତ ଦାୟୀ । କାରଣ ଭାରତୀୟ ସୈନ୍ୟ ପୂର୍ବ ବୁଝାମଣାର ଉଲ୍ଲଙ୍ଘନ କରି ଚୀନ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ଚୀନ ସରକାରଙ୍କ ସୀମା ଓ ସମୁଦ୍ର ବ୍ୟାପାର ମହାନିର୍ଦ୍ଦେଶକ ହେ ସିଆଙ୍ଗକି କହିଛନ୍ତି ଯେ ଏହି ସଂଘର୍ଷରେ ଚୀନର କମ ଯବାନ ନିହତ ହୋଇଛନ୍ତି । ତେବେ ଉତ୍ତେଜନା ବଢିବା ଆଶଙ୍କାରେ ପ୍ରକୃତ ସଂଖ୍ୟାକୁ ପ୍ରକାଶ କରାଯାଉନାହିଁ ।

ଗତକାଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଏହି ସଂଘର୍ଷରେ ୪୦ ଚୀନ ସୈନ୍ୟ ମରିଥିବା କଥା ଏକ ମିଛ ଖବର । ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ଚୀନ ପକ୍ଷର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ତଥ୍ୟ ପ୍ରକାଶ କରୁନାହିଁ ।

ସମ୍ବନ୍ଧିତ ଖବର