ବେଜିଂ: ଡୋକ୍ଲାମ ଅଞ୍ଚଳକୁ ନେଇ ଉଭୟ ଭାରତ ଓ ଚୀନ୍ ମଧ୍ୟରେ ଗତବର୍ଷ ୭୩ ଦିନ ଧରି ବିବାଦ ଲାଗିରହିଥିବା ବେଳେ ଏବେ ଚୀନ୍ ଭିତିରିଆ ଭାବେ ଏହି ଅଞ୍ଚଳରେ ନିଜ ଗତିବିଧି ବୃଦ୍ଧି କରିବାରେ ଲାଗିଛି। ଭାରତ ନିଜ କୂଟନୈତିକ ଶକ୍ତି ପ୍ରୟୋଗ କରି ଏହି ବିବାଦରେ ଚୀନ୍କୁ ମାତ୍ ଦେଇଥିଲେ ମଧ୍ୟ ଏବେ ପୁଣି ଚୀନ୍ ଅତ୍ୟନ୍ତ ଗୋପନରେ ତା’ର ସାମରିକ କାର୍ଯ୍ୟକ୍ରମ ଚଳାଇଛି। ଅନ୍ୟପକ୍ଷରେ ଭାରତ କି ଭୁଟାନ୍ ଏ ନେଇ କିଛି କରିପାରୁନାହାନ୍ତି। ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏ ବାବଦ ତଥ୍ୟ ପ୍ରଘଟ କରିବା ସହ ଭୁଟାନ ମଧ୍ୟ ଚୀନ୍ର ନିକଟତର ହେଉଥିବା କହିଛନ୍ତି। ଚୀନ୍ ଏହାର ବିସ୍ତାରବାଦୀ ଚିନ୍ତାଧାରାକୁ ଜାବୁଡ଼ି ଧରି ଦକ୍ଷିଣ ଚୀନ୍ ସାଗରରେ ନିଜ ଆଧିପତ୍ୟ ବୃଦ୍ଧି କରିବାକୁ ଚାହୁଥିବା ବେଳେ ଭିଏତ୍ନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଓ ତାଇଓ୍ଵାନ୍ ଏହାର କଡ଼ା ବିରୋଧ କରୁଛନ୍ତି। ଦକ୍ଷିଣ ଚୀନ୍ ସାଗର ଓ ପୂର୍ବ ଚୀନ୍ ସାଗର କ୍ଷେତ୍ରରେ ଅନେକ ରାଷ୍ଟ୍ର ସହିତ ଚୀନ୍ର ବିବାଦ ଲାଗିରହିଥିବା ବେଳେ ଏହି କ୍ଷେତ୍ରରେ ଚୀନ୍ ଅଧିକରୁ ଅଧିକ ସେନା ନିୟୋଜିତ କରିବା ସହିତ କୃତ୍ରିମ ଦ୍ୱୀପ ମଧ୍ୟ ନିର୍ମାଣ କରିବାରେ ଲାଗିଛି। ଏହି ଦୁଇଟି ଅଞ୍ଚଳରେ ପ୍ରଚୁର ପରିମାଣର ଖଣିଜ ପଦାର୍ଥ, ତୈଳ ଓ ଅନ୍ୟ ପ୍ରାକୃତିକ ସମ୍ବଳ ଭରପୂର ରହିଛି। ବିଶ୍ୱ ବାଣିଜ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସେହି ଦୃଷ୍ଟିରୁ ଏହା ଉପରେ ଆମେରିକାର ମଧ୍ୟ ନଜର ରହିଛି।
ଆମେରିକାର ବିଦେଶ ମନ୍ତ୍ରାଳୟର ପ୍ରମୁଖ ଉପସହାୟକ (ଦକ୍ଷିଣ ଓ ମଧ୍ୟ ଏସିଆ) ଆଲିସ୍ ଜି େଓ୍ଵଲ୍ସ ଏକ ସଂସଦୀୟ ବୈଠକରେ ସାଂସଦମାନଙ୍କୁ ସୂଚନା ଦେଇ କହିଛନ୍ତି, ଭାରତ ଏହାର ଉତ୍ତର ସୀମାର ସୁରକ୍ଷା ପାଇଁ ଦୃଢ଼ତାର ସହ ମୁକାବିଲା କରିଆସୁଛି ଏବଂ ଏହି କ୍ଷେତ୍ର ଏବେ ଦେଶ ପାଇଁ ବେଶ୍ ଚିନ୍ତାଜନକ ରହିଛି। ତେବେ ଭାରତ ଯଦି ଏଥିପାଇଁ ସାମରିକ ଦୃଷ୍ଟିକୋଣରୁ ପ୍ରସ୍ତୁତ ହୁଏ ତେବେ ଆମେରିକା ଏହା ସହିତ ମିଶି ଲଢ଼େଇ କରିପାରିବ। ଆମେରିକା କଂଗ୍ରେସର ଆନ୍ ଓ୍ଵାଗନରଙ୍କ କହିବାନୁଯାୟୀ ହିମାଳୟ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ୍ ମଧ୍ୟରେ ସବୁବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ବିବାଦୀୟ ଡୋକ୍ଲାମ୍ରେ ନିକଟରେ ଉଭୟ ରାଷ୍ଟ୍ରର ସେନା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତରେ ଆଲିସ୍ କହିଛନ୍ତି, ଚୀନ୍ର ବିସ୍ତାରବାଦୀ ଭାରତ କି ଭୁଟାନ୍ ଦୃଢ଼ ଭାବେ ବିରୋଧ କରୁନାହାନ୍ତି। ଫଳରେ ଚୀନ୍ ପୂର୍ବ ଭଳି ଡୋକଲାମକୁ କବ୍୍ଜା କରିବାକୁ ପ୍ରୟାସ କରୁଛି।