ଚୀନ୍‌ ସେନା ପଛକୁ ହଟିଲେ ହିଁ ଭାରତୀୟ ସେନା ପର୍ବତ ଶିଖର ଛାଡ଼ିବେ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ଦେଶ ରାଜନୈତିକ, କୂଟନୈତିକ ଏବଂ ସାମରିକସ୍ତରରେ ପ୍ରୟାସ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଲ୍‌ଏସିରେ ଚୀନ୍‌ର ଗତିବିଧି ଅତ୍ୟନ୍ତ ଷଡ଼ଯନ୍ତ୍ରପୂର୍ଣ୍ଣ ଏବଂ ଉତ୍ତେଜନା ସୃଷ୍ଟିକାରୀ ରହିଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛି। ଚୀନ୍‌ ସେନା ପଛକୁ ନ ହଟିବା ପର୍ଯ୍ୟନ୍ତ ଭାରତୀୟ ସେନା ନିଜ ନିୟନ୍ତ୍ରଣରେ ଥିବା କୌଣସି ପର୍ବତ ଶିଖର ଛାଡ଼ିବେ ନାହିଁ ବୋଲି ଆଜି ସ୍ପଷ୍ଟ କରାଯାଇଛି। ଚୀନ୍‌ର ସମସ୍ତ ଚାଲ୍‌କୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ବ୍ୟାପକ ପ୍ରସ୍ତୁତି କରିଛି। ପୂର୍ବ ଲଦାଖ୍‌ ସେକ୍ଟରରେ ଚୀନ୍‌ ସେନାର ରଣନୀତି ତୁହାକୁ ତୁହା ବଦଳୁଥିବା ଏବଂ ସାମରିକସ୍ତରରେ ହେଉଥିବା ଆଲୋଚନାର ନିଷ୍ପତ୍ତି ମୁତାବକ ଚୀନ୍‌ ପଦକ୍ଷେପ ନେଉନଥିବାରୁ ଭାରତ ମଧ୍ୟ ତା’ର ରଣନୀତି ବଦଳାଇ ଦେଇଛି। ଏଲ୍‌ଏସି ନିକଟରେ ଚୀନ୍‌ର ନିର୍ମାଣକୁ ରୋକିବା ପାଇଁ ମଧ୍ୟ ଭାରତ ପକ୍ଷରୁ ପ୍ରବଳ ଚାପ ସୃଷ୍ଟି କରାଯାଇଛି। ଭାରତୀୟ ଯବାନ ଫିଙ୍ଗର ୪-୮ ମଧ୍ୟରେ ପାଟ୍ରୋଲି ଅତ୍ୟନ୍ତ କଡ଼ାକଡ଼ି କରିବା ସହ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରଗୁଡ଼ିକୁ ଏବେ ନିଜ ନିୟନ୍ତ୍ରଣକୁ ନେଇଛି।

ସମ୍ବନ୍ଧିତ ଖବର