ଚୀନ୍‌ରୁ ବିଦାୟ ନେଉଛି ଭାଇରସ୍‌: ବିଶ୍ବକୁ ମୁକାବିଲାର ରାସ୍ତା ଦେଖାଇବେ ଚୀନ୍‌, ଦକ୍ଷିଣ କୋରିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମିତ ହେବା ଅଦୃଶ୍ୟ ଶକ୍ତି ବି‌ରୋଧରେ ଲଢ଼ିବା ସହ ସମାନ। କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିବା ଚୀନ୍‌ ଏବେ ଏହାର ମୁକାବିଲାରେ ସଂପୂର୍ଣ୍ଣ ସଫଳ ହୋଇଛି। କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନରେ ଏବେ ଦୁଇ ଦିନ ହେଲା କେବଳ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସୁଛି। ଚୀନ୍‌ରୁ ଏବେ ଏହି ଭାଇରସ୍‌ ବିଦାୟ ନେବା ସ୍ଥିତିକୁ ଆସିଯାଇଥିବା ବେଳେ ପଡ଼ୋଶୀ ରାଷ୍ଟ୍ର ବିଶେଷ କରି ଭାରତରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ଦକ୍ଷିଣ କୋରିଆ ମଧ୍ୟ କରୋନା ବିରୋଧରେ ଯୁଦ୍ଧ ଘୋଷଣା କରି ସଫଳତା ପାଇଛି। ଭାରତରେ ୧୪ ଇଟାଲୀୟ ନାଗରିକଙ୍କ ଚିକିତ୍ସା କରୁଥିବା ମେଦାନ୍ତର ଜଣେ ଡାକ୍ତର ଭାଇରସ୍‌ ନିୟନ୍ତ୍ରଣ କରିବା ଦିଗରେ ସରକାର କି ପ୍ରକାର ପଦକ୍ଷେପ ନେବା ଉଚିତ୍‌ ସେ ବିଷୟରେ କହିଛନ୍ତି। କରୋନା ଭାଇରସ୍‌ ଚିକିତ୍ସା ପାଇଁ ରୋଗୀମାନଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା ନକରି ଗୋଟିଏ ହସ୍ପିଟାଲ୍‌ରେ ଉତ୍ତମ ବ୍ୟବସ୍ଥା ଥାଇ ଚିକିତ୍ସା କରାଇଲେ ଭାଇରସ୍‌କୁ ସହଜରେ ରୋକି ହେବ ବୋଲି ସେ କହିଛନ୍ତି। ଗୋଟିଏ ହସ୍ପିଟାଲ୍‌ରେ ଯଦି ଏକକାଳୀନ ଏକାଧିକ ରୋଗୀ ତଥା ଗୋଟିଏ ସ୍ଥାନରେ ୫୦୦ ରୋଗୀଙ୍କର ଚିକିତ୍ସା କରିହେବ ତେବେ ଏହି ଭାଇରସ୍‌କୁ ସହଜରେ ମୁକାବିଲା କରିହେବ। ଚୀନ୍‌ ଏବଂ ଦକ୍ଷିଣ କୋରିଆ ଏହି ପଦ‌କ୍ଷେପ ଗ୍ରହଣ କରିଛନ୍ତି ଏବଂ ବିଶ୍ବକୁ ମୁକାବିଲାର ରାସ୍ତା ଦେଖାଉଛନ୍ତି। ସେହିପରି ସନ୍ଦିଗ୍ଧଙ୍କୁ ପରୀକ୍ଷା କରିବା ସୁଯୋଗ ଦିଆଯିବା ଦରକାର। ଏବେ ବି ଭାରତରେ ସ୍ଥିତି ନିୟନ୍ତ୍ରଣ ‌ହେବା ସ୍ଥିତିରେ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର