ଭାରତ-ଚୀନ ସେନା ସ୍ତରୀୟ କଥାବାର୍ତ୍ତାର ଦିନକ ପୂର୍ବରୁ ନିଜର କମାଣ୍ଡର ବଦଳାଇଲା ଚୀନ

ନୂଆଦିଲ୍ଲୀ : ସୀମାରେ ଚାଲିଥିବା ବିବାଦୀୟ ପରିସ୍ଥିତିର ସମାଧାନ ଲାଗି ଶନିବାରଦିନ ଭାରତ ଓ ଚୀନ ମଧ୍ୟରେ ସେନା ଅଧିକାରୀସ୍ତରୀୟ ବୈଠକ ହେବାକୁ ଯାଉଥିବାବେଳେ ତାହାର ଦିନକ ପୂର୍ବରୁ ଚୀନ ନିଜର ପଶ୍ଚିମ ଥିଏଟର କମାଣ୍ଡ ପାଇଁ ନୂଆ ଆର୍ମି କମାଣ୍ଡର ନିଯୁକ୍ତ କରିଛି । ଚୀନର ପିପୁଲସ ଲିବରେସନ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ୱେବସାଇଟରେ ଘୋଷଣା କରାଯାଇଛି ଯେ ଲେପ୍ଟନାଣ୍ଟ ଜେନେରାଲ ସୁ କିଲିଂ ଙ୍କୁ ନୂଆ କମାଣ୍ଡର ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ଚୀନର ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ୱରେ ଥିଲେ ।

ପିପୁଲସ ଲିବରେସନ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଭାରତକୁ ଲାଗିଥିବା ୩୪୮୮ କିଲୋମିଟର ଲମ୍ବ ସୀମାର ସୁରକ୍ଷା ଦାୟିତ୍ୱରେ ରହିଛି । ଏହି ସେନା ଅଧିନରେ ରହିଛି ସେନା, ବାୟୁସେନା ଓ ରକେଟ ଫୋର୍ସ । ଭାରତ-ଚୀନ ସେନା କମାଣ୍ଡର ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକର ଦିନକ ପୂର୍ବରୁ ନୂଆ କମାଣ୍ଡରଙ୍କ ନିଯୁକ୍ତିକୁ ବିଶେଷଜ୍ଞମାନେ ବେଶ ଗୁରୁତ୍ୱର ସହ ଦେଖୁଛନ୍ତି ।

ଶନିବାରଦିନ ହେବାକୁ ଥିବା ଲେପ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକଟି ଲଦାଖ ସୀମାକୁ ଲାଗିଥିବା ଚୀନର ମାଲଡୋଠାରେ ଅନୁଷ୍ଠିତ ହେବ । ଭାରତ ପକ୍ଷରୁ ୧୪-କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ । ଚୀନ ତରଫରୁ ଲେପ୍ଟନାଣ୍ଟ ଜେନେରାଲ ସୁ କିଲିଂ ଏଥିରେ ଯୋଗ ଦେବେ ।

ସମ୍ବନ୍ଧିତ ଖବର