ଭାରତର କୂଟନୀତି ଓ ସେନା ଦେଖାଇଲା ଦମ୍: ପୋଙ୍ଗଙ୍ଗ ହ୍ରଦ ନିକଟ ଫିଙ୍ଗର-୪ରୁ ହଟିଲେ ଚୀନ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ଚାଲିଥିବା କଥାବାର୍ତ୍ତାର ଆଜି ପ୍ରଭାବ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁସାରେ ପୂର୍ବ ଲଦାଖର ପୋଙ୍ଗଙ୍ଗ ହ୍ରଦ ନିକଟ ଫିଙ୍ଗର-୪ ଅଞ୍ଚଳରୁ ଚୀନ ସୈନିକ ପଛକୁ ଫେରିଯାଇଛନ୍ତି | ପୋଙ୍ଗଙ୍ଗ ହ୍ରଦର ଉତ୍ତରରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିଖର( ଫିଙ୍ଗର-୪)ରେ ଚୀନ ସୈନିକ ବହୁ ଦିନ ଧରି କବଜା କରି ରଖିଥିଲେ ଏବଂ ସେଠାରେ ଭାରତୀୟ ସେନା ସେମାନଙ୍କ ସହ ମୁହାଁମୁହିଁ ହୋଇ ରହିଥିଲା।  ଜାତୀୟ ଗଣମାଧ୍ୟମକୁ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଫିଙ୍ଗର-୪ ଅଂଚଳରେ ବହୁ ସଂଖ୍ୟାରେ ଚୀନ ସୈନିକ ହଟିଯାଇଛନ୍ତି |

ଚୀନ ପକ୍ଷରୁ ଫିଙ୍ଗର-୫ ଓ ଫିଙ୍ଗର-୮ ମଧ୍ୟରେ ଥିବା ଘେରାବନ୍ଦୀକୁ ମଧ୍ୟ ହଟାଇଦିଆଯାଇଛି | ଉଲ୍ଲେଖ ଥାଉ କି ପୋଙ୍ଗଙ୍ଗ ହ୍ରଦ ନିକଟ ଫିଙ୍ଗର-୮ ପର୍ଯ୍ୟନ୍ତ ଅଂଚଳ ଭାରତ ନିଜର ବୋଲି ଦାବି କରିଥାଏ | ତେବେ ଚୀନ ସେନା ସେଠାରୁ ହଟିବାକୁ ରାଜି ହେବା  ପରେ ଏବେ ଭାରତ ମଧ୍ୟ ସେନା ହ୍ରାସ କରିଛି  |

ଉଭୟ ଦେଶର ସେନାବାହିନୀ ସେମାନଙ୍କ ଟ୍ୟାଙ୍କ ବାହିନୀ ଓ ଅନ୍ୟ ଯୁଦ୍ଧାସ୍ତ୍ର ହଟାଇଦେଇଛନ୍ତି | ସୂଚନା ମୁତାବକ ପୋଙ୍ଗଙ୍ଗ ହ୍ରଦର ଦକ୍ଷିଣ ଅଂଚଳରେ ଦୁଇ ଦେଶର ଟ୍ୟାଙ୍କ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ରହିଥିଲା | ତେବେ ବର୍ତ୍ତମାନ ଦୁଇ ଦେଶ ସେମାନଙ୍କ ଟ୍ୟାଙ୍କକୁ ହଟାଇଦେଇଛନ୍ତି |

ସମ୍ବନ୍ଧିତ ଖବର