ବିଶ୍ବର ମହାଶକ୍ତି ହେବାର ଅଭିଳାଷ ରଖିଛି ଚୀନ୍

ବେଜିଂ : ଚୀନ୍ ଚାହୁଁଛି ବିଶ୍ବର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଦେଶ ଆମେରିକାକୁ ପଛରେ ପକାଇ ବିଶ୍ବର ପରବର୍ତ୍ତୀ ମହାଶକ୍ତିରେ ପରିଣତ ହେବ। ଏଥିସହ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଯେଉଁସବୁ ନିୟମ-ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ତିଆରି କରିଥିଲେ ଚୀନ୍ ତାକୁ ଭାଙ୍ଗିଦେବାକୁ ଚାହୁଁଛି ବୋଲି ‘ଦ ନ୍ୟାସନାଲ ଇଣ୍ଟରେଷ୍ଟ’ରେ ପ୍ରକାଶ ପାଇଛି।

ଏଥିରେ ଲେଖାଯାଇଛି ଯେ, ଆମେରିକାକୁ ବର୍ତ୍ତମାନ ରୁଷିଆ, ଉତ୍ତର କୋରିଆ, ଇରାନ ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତଥା ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍‌-୧୯ ମହାମାରୀ ପରି ବହୁବିଧ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ସମୟରେ ଚୀନ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ପ୍ରମୁଖ ବିପଦ ଭାବେ ଉଭା ହେବାକୁ ଆରମ୍ଭ କରିଛି।

ରିପୋର୍ଟ ଅନୁସାରେ ବିଶ୍ବର ପରବର୍ତ୍ତୀ ମହାଶକ୍ତି ହେବା ପାଇଁ ବେଜିଂ ପ୍ରଥମେ ଅର୍ଥନୀତି, ଶିଳ୍ପ ଓ ପ୍ରଯୁକ୍ତିଗତ ଉନ୍ନତି ପ୍ରତି ଧ୍ୟାନ ଦେଉଛି। ଏହାଫଳରେ ଚୀନ୍ କ୍ରମେ ଅର୍ଥନୈତିକ ଓ ଔଦ୍ୟୋଗିକ କ୍ଷେତ୍ରରେ ଅଦ୍ବିତୀୟ ହୋଇଉଠିବ। ସେ ଆମେରିକା ଓ ଅନ୍ୟ ଦେଶରୁ ଯୁଦ୍ଧବିମାନ, କ୍ଷେପଣାସ୍ତ୍ର ପ୍ରଯୁକ୍ତି ଆଦି ଚୋରି କରି ହେଉ ବା ଯେକୌଣସି ଉପାୟରେ ହେଉ ସବୁ କ୍ଷେତ୍ରରେ ଉପରକୁ ଉଠିବାକୁ ଚାହୁଁଛି। ଚୀନ୍‌ର ଏହି ପ୍ରଯୁକ୍ତି ଚୋରି ଓ ଗୁପ୍ତଚରଗିରି ଆମେରିକାର ଜାତୀୟ ସୁରକ୍ଷା ଓ ଅର୍ଥନୀତି ପ୍ରତି ମହାବିପଦ ସୃଷ୍ଟି କରିବାକୁ ଯାଉଛି। ଚୀନ୍ ବର୍ଷକୁ ଆମେରିକାରୁ ଯେତିକି ବୌଦ୍ଧିକ ସମ୍ପତ୍ତି ଚୋରି କରୁଛି, ତା’ର ମୂଲ୍ୟ ୨୦୦ରୁ ୬୦୦ ବିଲିୟନ (ଶହ କୋଟି) ଆମେରିକୀୟ ଡଲାର ହେବ। ଗତ ଦୁଇ ଦଶନ୍ଧି ହେଲା ଚୀନ୍ ଏଇଆ କରିଆସୁଛି। ତା’ ମାନେ ଚୀନ୍‌ର ମୋଟ ଚୋରି ପରିମାଣ ୪ରୁ ୧୨ ଟ୍ରିଲିୟନ (ଲକ୍ଷ କୋଟି) ଆମେରିକୀୟ ଡଲାର ହେବ। ଆମେରିକା ଆଗରୁ କେବେ ଏଭଳି ବିପଦର ସମ୍ମୁଖୀନ ହୋଇ ନ ଥିଲା। ଛଳେବଳେକୌଶଳେ ଚୀନ୍ ପୃଥିବୀରେ ଅପ୍ରତିଦ୍ବନ୍ଦ୍ବୀ ମହାଶକ୍ତି ହେବାକୁ ଲକ୍ଷ୍ୟ ରଖିଥିବା ତା’ର କାର୍ଯ୍ୟକଳାପରୁ ଜଣାପଡ଼ୁଛି ବୋଲି ଏଥିରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର