ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧରୁ ଜବରଦସ୍ତ ଫାଇଦା ଉଠାଉଛି ଚୀନ୍। ରୁଷ୍ ଓ ପାଶ୍ଚାତ୍ୟ ସମର୍ଥିତ ୟୁକ୍ରେନ୍ ଯୁଦ୍ଧ ଅବସରରେ ଭ୍ଲାଡିଭୋସ୍ତକ ବନ୍ଦର ପରି ଭୌଗୋଳିକ ଅଞ୍ଚଳରେ ଆଡ୍ଡା ଜମାଇପାରିଛି ଚୀନ୍ ଏବଂ ଏହାର ଅଟୋ ଶିଳ୍ପର ମଧ୍ୟ ଦ୍ରୁତ ବିକାଶ ଘଟିଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ନିରପେକ୍ଷତା ରକ୍ଷା କରି ନିଜର ଜାତୀୟ ସ୍ବାର୍ଥ ହାସଲ ଉପରେ ଗୁରୁତ୍ବ ଦେଉଛି। ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ବାରା ରୁଷ୍ ଏକଘରିଆ ହେବାରୁ ଫାଇଦା ଉଠାଉଛି ଚୀନ୍। ଏବେ ରୁଷ୍‌ର ଭ୍ଲାଡିଭୋସ୍ତକ ବନ୍ଦର ଏକ ଚାଇନିଜ୍ ଟ୍ରାଞ୍ଜିଟ୍ ପୋର୍ଟ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରଶାନ୍ତ ମହାସାଗରରେ ଥିବା ଏହି ବନ୍ଦରରେ ଏବେ ବାର୍ଷିକ ଏକ ନିୟୁତ ୨୦-ଫୁଟ୍ ସମତୁଲ ୟୁନିଟ୍‌ର ସାମଗ୍ରୀ ପରିବହନ ହେଲାଣି। ୧୮୬୦ ମସିହାରେ ଚୀନ୍ ରାଜା ଏହି ବନ୍ଦରକୁ ରୁଷ୍ ସମ୍ରାଜ୍ୟକୁ ହସ୍ତାନ୍ତର କରିଥିଲେ। ଏହି ବନ୍ଦରକୁ ୧୬୩ ବର୍ଷ ପରେ ନିଜ ହାତକୁ ନେଇ ପରିଚାଳନା କରିବା ଦ୍ବାରା ଚୀନ୍ ବିଶେଷ ଲାଭବାନ ହେବ। ଏହାଦ୍ବାରା ଚୀନ୍ ଓ ରୁଷ୍ ଭିତରେ ସହଯୋଗ ବି ବୃଦ୍ଧି ପାଇବ।