ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦର କୌଣସି ସମାଧାନ ବାହାରିପାରୁନି। ପୂର୍ବ ଲଦାଖ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଉଭୟ ଭାରତ ଏବଂ ଚୀନ୍ ମଧ୍ୟରେ ଲଗାତାର ଷଷ୍ଠ ଥର ପାଇଁ ସାମରିକ କଥାବାର୍ତ୍ତା ହୋଇଥିଲେ ମଧ୍ୟ କୌଣସି ପ୍ରକାର ସମାଧାନର ସୂତ୍ର ବାହାରି ପାରିନି। ୨୦୧୭ରେ ଭାରତ ସହ ଡୋକଲାମ୍ ବିବାଦ ପରଠାରୁ ଚୀନ୍ ଏହାର ରଣନୀତି ବଦଳାଇଛି ଏବଂ ସାମରିକ ଭିତ୍ତିଭୂମିଗୁଡ଼ିକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ଡୋକଲାମ୍ ସୀମା ବିବାଦ ପରେ ଚୀନ୍ ଏଲ୍ଏସି ନିକଟରେ ୧୩ଟି ନୂଆ ସାମରିକ ପ୍ରତିଷ୍ଠାନ ନିର୍ମାଣ କରିଛି। ଏଥି ମଧ୍ୟରେ ୩ଟି ବାୟୁସେନା ଘାଟି ଥିବାବେଳେ ୫ଟି ସ୍ଥାୟୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ୫ଟି ହେଲିପୋର୍ଟ୍ ରହିଛି। ଏଥି ମଧ୍ୟରୁ ୪ଟି ହେଲିପୋର୍ଟ୍ ଲଦାଖ୍ ସୀମା ବିବାଦ ପରେ ନିର୍ମାଣ ହୋଇଛି। ଡୋକଲାମ୍ ସୀମା ବିବାଦ ପରେ ତଥା ଗତ ୩ ବର୍ଷ ମଧ୍ୟରେ ଚୀନ୍ ଏହାର ସାମରିକ ଭିତ୍ତିଭୂମିକୁ ଅଧିକ ସୃଦୃଢ଼ କରିଛି।
ରିପୋର୍ଟ ଅନୁଯାୟୀ ଚୀନ୍ ପୂର୍ବରୁ ଥିବା ବାୟୁସେନା ଘାଟିରେ ୪ଟି ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିଛି। ସେହିପରି ଅତିରିକ୍ତ ରନ୍ୱେ ଏବଂ ବାସସ୍ଥାନ ମଧ୍ୟ ନିର୍ମାଣ କରିଛି। ସେହିପରି ଅଧିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଯୁଦ୍ଧ ବିମାନ ମୁତୟନ କରିଛି। ଲଦାଖ୍ ସଂଘର୍ଷ ପରେ ଚୀନ୍ ତିବ୍ଦତୀୟ ମାଳଭୂମିରେ ଅତିରିକ୍ତ ସୈନ୍ୟଦଳ, ସ୍ବତନ୍ତ୍ର ବାହିନୀ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରିଛି। ସେହିପରି ଏକ ସାଟେଲାଇଟ୍ ଛବି ଆକଳନରୁ ଜଣାପଡ଼ିଛି ଯେ, ଚୀନ୍ ତିବ୍ଦତର ମାନସରୋବର ହ୍ରଦ କୂଳରେ ଏକ କ୍ଷେପଣାସ୍ତ୍ର ଘାଟି ନିର୍ମାଣ କରିଛି। ଜଣାଯାଇଛି ଯେ, ୨୦୧୬ରେ ତୀବ୍ଦତୀୟ ମାଳଭୂମିରେ ଚୀନ୍ର କେବଳ ଗୋଟିଏ ହେଲିପୋର୍ଟ୍, ଗୋଟିଏ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୯ରୁ ଚୀନ୍ ଏଠାରେ ଏହାର ସାମରିକ ଭିତ୍ତିଭୂମି ସୁଦୃଢ଼ କଲା। ଗତବର୍ଷ ଚୀନ୍ ୪ଟି ବାୟୁସେନା ଘାଟି, ୪ଟି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଗୋଟିଏ ହେଲିପୋର୍ଟ୍ ଏବଂ ଗୋଟିଏ ଇଲେକଟ୍ରୋନିକ୍ ୱାର୍ଫେୟାର ଷ୍ଟେସନ୍ ନିର୍ମାଣ କରିଛି। ଚୀନ୍ ତିବ୍ଦତୀୟ ମାଳଭୂମିରେ ୪ଟି ବାୟୁସେନା ଘାଟି, ୪ଟି ହେଲିପୋର୍ଟ ଏବଂ ଗୋଟିଏ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରୁଛି।
ଲେହ: ଭାରତୀୟ ସୈନିକ ପ୍ରବଳ ଥଣ୍ଡାରେ ବି ଚୀନ୍ ସୀମା ନିକଟରେ ସେବା ଜାରି ରଖିବେ। ତେଣୁ ସେମାନଙ୍କ ପାଇଁ ଆଗୁଆ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ପ୍ରବଳ ଥଣ୍ଡାରେ ଯବାନମାନଙ୍କ ପାଇଁ ତାଜା ପନିପରିବା ଯୋଗାଇବା କଷ୍ଟକର ହୋଇଥାଏ। କିନ୍ତୁ ପ୍ରବଳ ଥଣ୍ଡା ପରିବେଶରେ ମଧ୍ୟ ଡିଆରଡିଓ ଭାରତୀୟ ସୈନିକଙ୍କ ପାଇଁ ଏହି ଅଞ୍ଚଳରେ ପନିପରିବା ଚାଷ କରିବାପାଇଁ କାମ କରୁଛି। ଗ୍ରିନ୍ହାଉସ୍ ଟେକ୍ନୋଲୋଜି, ଜିରୋ ଏନର୍ଜି ଆଧାରିତ ଟେକନିକ୍ ଷ୍ଟୋରେଜ୍ ଏବଂ ମାଇକ୍ରୋଗ୍ରିନ୍ ଟେକ୍ନୋଲୋଜି ବ୍ୟବହାର କରି ଭାରତୀୟ ସୈନିକଙ୍କ ପାଇଁ ଡିଆରଡିଓ ପନିପରିବା ଚାଷ କରିବ। ଡିଆର୍ଡିଓର ଦିହାର (ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ଅଲ୍ଟିଚ୍ୟୁଡ୍ ରିସର୍ଚ୍ଚ୍) ଦ୍ବାରା ଏନେଇ ଗବେଷଣା କରାଯାଉଛି। ଦିହାର୍ ନିର୍ଦ୍ଦେଶକ ଡ. ଓମ୍ ପ୍ରକାଶ ଚୌରସିଆ କହିଛନ୍ତି, ବିଯୁକ୍ତ ୨୫ ଡିଗ୍ରି ଥଣ୍ଡାରେ ବି ସୈନିକଙ୍କ ପାଇଁ ପନିପରିବା ଉପଲବ୍ଧ କରାଇବା ଉପରେ ଫୋକସ୍ ରହିଛି। ଯବାନମାନଙ୍କ ପାଇଁ ସୁପର୍ଫୁଡ୍ ଚାଷ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସୁପର୍ଫୁଡ୍ ହେଉଛି ଏଭଳି ଖାଦ୍ୟ ଯାହା କମ୍ ଖାଇଲେ ମଧ୍ୟ ଫଳପ୍ରଦ ହୋଇଥାଏ।