ପୁଣି ଧୋକାଦେଲା ଚୀନ, ପୂର୍ବ ଲଦାଖରେ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି

ନୂଆଦିଲ୍ଲୀ : ପରସ୍ପର ମଧ୍ୟରେ ଭରସା ବୃଦ୍ଧି କରି ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ଚୀନ ତାହାର ଓଲଟା କାମ କରିଚାଲିଛି । ପୂର୍ବ ଲଦାଖସ୍ଥିତ ଏଲଏସିର ଫରଓ୍ବାର୍ଡ ପୋଜିସନଗୁଡ଼ିକରେ ଚୀନର ପିଏଲଏ ନିଜର ସୈନ୍ୟସଂଖ୍ୟା ବୃଦ୍ଧି କରିଚାଲିଛି ।

ପ୍ରାୟ ୪ ମାସ ତଳେ ଅର୍ଥାତ ଗତ ସେପ୍ଟେମ୍ବର ମାସରେ ହୋଇଥିବା ସୈନ୍ୟସ୍ତରୀୟ ଆଲୋଚନାରେ ସୈନ୍ୟ ସଂଖ୍ୟା ହ୍ରାସ ପାଇଁ ଦୁଇ ଦେଶ ରାଜି ହୋଇଥିଲେ । ଏ ବାବଦରେ ଦୁଇଦେଶର ସେନା ପକ୍ଷରୁ ଏକ ମିଳିତ ଘୋଷଣା କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଦୁଇଦେଶ ଆଉ ସୈନ୍ୟସଂଖ୍ୟା ବୃଦ୍ଧି ନକରି ହ୍ରାସ କରିବାକୁ ପଦକ୍ଷେପ ନେବେ ।

ମାତ୍ର ଏହି ସହମତିକୁ ଜଳାଞ୍ଜଳୀ ଦେଇ ଚୀନର ପିଏଲଏ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଚାଲିଛି । ଭାରତୀୟ ସେନା ସୁତ୍ରରୁ ମିଳିଥିବା ସୂଚନାରେ ଚୀନ ଦ୍ବାରା ସୈନ୍ୟସଂଖ୍ୟା ବୃଦ୍ଧି କରାଯିବା ପରେ ଭାରତୀୟ ସେନା ପକ୍ଷରୁ ସୈନ୍ୟ ମୁତୟନ ବୃଦ୍ଧି କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଫଳରେ ଲଦାଖର ପ୍ରବଳ ଥଣ୍ଡା ମଧ୍ୟରେ ବି ଦୁଇ ଦେଶର ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧଯାନ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏପରିକି କେତେକ ସ୍ଥାନରେ ଭାରତୀୟ ସେନା ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇ ଚୀନର ସେନା ପହଞ୍ଚିବା ପୂର୍ବରୁ ନିଜର ସ୍ଥିତିକୁ ସୁଦୃଢ କରାଯାଉଛି ।

ସମ୍ବନ୍ଧିତ ଖବର