କ୍ୟୁବାରେ ଗୁଇନ୍ଦା ଘାଟି ଚଳାଇଛି ଚୀନ:ଆମେରିକା

ମିଛ କଥା: ଚୀନ

ନୂଆଦିଲ୍ଲୀ: କ୍ୟୁବ‌ାରେ ଦୀର୍ଘବର୍ଷ ହେଲା ଚୀନ ଗୁଇନ୍ଦା ଘାଟି ଚଳାଇଛି। ୨୦୧୯ରେ ଚୀନ ସେଠାରେ ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାରେ ଉନ୍ନତି ଆଣିଛି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏଭଳି ଦାବି କରିଛନ୍ତି। ଆମେରିକାର ଗୁଇନ୍ଦା ଅଧିକାରୀମାନେ କ୍ୟୁବାରୁ ଚୀନର ଗୁଇନ୍ଦା କାର୍ଯ୍ୟକ୍ରମ ସଂପର୍କରେ ଜାଣିବାକୁ ପାଇଛନ୍ତି। ତେବେ ଚୀନର ଏହି ‌ଗୁଇନ୍ଦା କାର୍ଯ୍ୟକୁ ରୋକିବା ପାଇଁ ବାଇଡେନ ପ୍ରଶାସନ ଜୋରଦାର ଉଦ୍ୟମ ଚଳାଇଛି। କୂଟନୀତି ଏବଂ ଅନ୍ୟ କେତେକ କାର୍ଯ୍ୟ ଜରିଆରେ ଏ କ୍ଷେତ୍ରରେ ଆମେରିକା କିଛିଟା ସଫଳ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଚୀନ ରା‌ଷ୍ଟ୍ରପତି ସି ଜିନପିଙ୍ଗ୍ ବିଶ୍ବର ବିଭିନ୍ନ ସ୍ଥାନରେ ଏହାର ସୁରକ୍ଷା ଉପସ୍ଥିତିର ବ୍ୟାପକ ସଂପ୍ରସାରଣ ପାଇଁ ଉଦ୍ୟମ କରୁଥିବାବେଳେ ଏଭଳି ଖବର ସାମ୍ନାକୁ ଆସିଛି।

ଗତ ଗୁରୁବାର ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ଚୀନର ଗୁଇନ୍ଦା ଘାଟି ସଂପର୍କରେ ବଳିଷ୍ଠ ସୂଚନା ମିଳିଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ ସେଠାରେ ଇଲେକ୍ଟ୍ରୋନିକ ଇଭ୍‌ସଡ୍ରପିଂ ଷ୍ଟେସନ ( ଦୁଇ ପକ୍ଷ ମଧ୍ୟରେ ହେଉଥିବା ଫୋନ ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ମାଧ୍ୟମରେ ହେଉଥିବା କଥାବାର୍ତ୍ତାକୁ ଗୋପନରେ ଜାଣିବା) ସ୍ଥାପନ ପାଇଁ ଉଭୟ ଚୀନ ଓ କ୍ୟୁବା ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ଆର୍ଥିକ ସଂକଟ ଭିତରେ ଥିବା କ୍ୟୁବାକୁ ଚୀନ ଏଥିପାଇଁ ବିପୁଳ ଅର୍ଥ ଦେବାକୁ ଯୋଜନା ରଖିଛି। ଜୋ ବାଇଡେନ ୨୦୨୧ ଜାନୁଆରିରେ ଆମେରିକାର ରାଷ୍ଟ୍ରପତି ହେବା ସମୟରେ ସେମାନଙ୍କୁ ଚୀନ ବିଭିନ୍ନ କ୍ଷେତ୍ରରେ ବିଶ୍ବର ବିଭିନ୍ନ ସ୍ଥାନରେ ଚଳାଇଥିବା ନିର୍ମାଣ ସଂପର୍କରେ ସୂଚନା ଦିଆଯାଇଥିଲା। ସେଥିରେ କ୍ୟୁବାରେ ଚୀନର ଗୁଇନ୍ଦା ସଂଗ୍ରହ କେନ୍ଦ୍ରର ଉପସ୍ଥିତି ସଂପର୍କରେ କୁହାଯାଇଥିଲା। ବସ୍ତୁତଃ ୨୦୧୯ରେ ଉକ୍ତ ଷ୍ଟେସନକୁ ସମୃଦ୍ଧ କରିଛି ବୋଲି ବାଇଡେନ ପ୍ରଶାସନର ଅଧିକାରୀ କହିଛନ୍ତି। ଚୀନ ପକ୍ଷରୁ କ୍ୟୁବାରେ ଇଲେକ୍ଟ୍ରୋନିକ ଇଭସଡ୍ରପିଂ ଷ୍ଟେସନ ନିର୍ମାଣକୁ ଅନୁମତି ଦେବା ଦ୍ବାରା ଆମେରିକାର ଦକ୍ଷିଣ ପୂର୍ବରେ ଚୀନକୁ ଗୁଇନ୍ଦା କାର୍ଯ୍ୟ ସୁବିଧା ମିଳିବ। ତେବେ ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ଏଥିପାଇଁ ଯଦିଓ ରାଜିନାମା ହୋଇଛି କିନ୍ତୁ କୋଠା ଆଦି ନିର୍ମାଣ କ୍ଷେତ୍ରରେ କିଛି ଅଗ୍ରଗତି ହୋଇନାହିଁ।

ଅନ୍ୟପକ୍ଷରେ ଆମେରିକାର କ୍ୟୁବା ନୀତିକୁ ଚୀନ ସମାଲୋଚନା କରିଛି। ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ୱାଙ୍ଗ ୱେନବିନ କହିଛନ୍ତି ଏଭଳି ସ୍ଥିତି ସଂପର୍କରେ ସେ ଅବଗତ ନାହାନ୍ତି। ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଗୁଜବ ଏବଂ ମିଥ୍ୟା ଅପବାଦ ଲଗାଇବା ଆମେରିକାର ଏକ ଜଣାଶୁଣା କୌଶଳ। ଜାଣିଶୁଣି ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ କରିବା ଏହାର ପ୍ୟାଟେଣ୍ଟ ବୋଲି ୱାଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର