ପାକିସ୍ତାନ ପାଇଁ ବଙ୍କର ନିର୍ମାଣ
ଛାଇ ଗଲାଣି ରାସ୍ତା, ବିମାନ ଘାଟି
ନୂଆଦିଲ୍ଲୀ : ପାକିସ୍ତାନକୁ ଅସ୍ତ୍ର କରି ଚୀନ୍ ଭାରତୀୟ ଅଂଚଳ ଦଖଲ କରିବା ଓ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ବିଶାଳ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି। ପାକିସ୍ତାନ ସୀମାରେ ଗତ କିଛିଦିନ ହେବ ଚୀନ୍ର ସେନା ଛାଉଣୀ ଦେଖିବାକୁ ମିଳୁଥିବା ବେଳେ କଶ୍ମୀରଠାରୁ ଗୁଜରାଟ ପର୍ଯ୍ୟନ୍ତ ଭାରତ-ପାକ୍ ସୀମାରେ ଚୀନ୍ ନିଜର ଆଧିପତ୍ୟ ଜାହିର କରିଚାଲିଛି। ବିଗତ ୪ ମାସ ମଧ୍ୟରେ ଭାରତୀୟ ସୀମାକୁ ଲାଗି ଚୀନ୍ ପାକିସ୍ତାନ ମାଟିରେ ଦୁଇଟି ବଡ଼ ଧରଣର ବିମାନଘାଟି ମଧ୍ୟ ନିର୍ମାଣ କରି ସାରିଛି ଯାହାକି ସାମରିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସେହିଭଳି ରାଜସ୍ଥାନ ସୀମାରେ ଉଭୟ ପାକିସ୍ତାନୀ ଓ ଚୀନ୍ ସେନା ୩୫୦ରୁ ଅଧିକ ବଙ୍କର ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛନ୍ତି। ଉକ୍ତ ବଙ୍କରଗୁଡିକ ଏଭଳି ପଥରରେ ତିଆରି କରାଯାଇଛି ଯାହାକି ଖାଲି ଆଖିରେ ଦେଖିଲେ ବଙ୍କର ଭଳି ଦୃଶ୍ୟମାନ ମଧ୍ୟ ହେବନାହିଁ। କେବଳ ଏତିକି ନୁହେଁ, ଯୁଦ୍ଧ ସମୟରେ ସେନା ବ୍ୟବହାର କରୁଥିବା ପ୍ରତିରକ୍ଷା କେନାଲ, ଜରୁରୀ ପ୍ରସ୍ଥାନ ପଥ ଓ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି। ଗୁଇନ୍ଦା ବିଭାଗର ସୂଚନା ମୁତାବକ, ପାକିସ୍ତାନୀ ତୈଳ କମ୍ପାନି ଅନ୍ତର୍ଜାତୀୟ ସୀମାରେଖା ନିକଟରେ ରାସ୍ତା, କେନାଲ ଓ ପେଟ୍ରାଲ ପମ୍ପ ମଧ୍ୟ ନିର୍ମାଣ କରୁଛି। ଭାରତର ଚିରଶତ୍ରୁ ହୋଇ ରହିଥିବା ପାକିସ୍ତାନକୁ ବ୍ୟବହାର କରି ଚୀନ୍ ସେଠାରେ ଯେଉଁସବୁ ପ୍ରସ୍ତୁତି ଚଳାଇଛି ତାହା ଭାରତ ପାଇଁ ବଡ଼ ବିପଦ ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଡ଼ିଛି।
ଭାରତକୁ ଘେରିବା ପାଇଁ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ଷଡ଼ଯନ୍ତ୍ର ଚଳାଇଥିବା ବେଳେ ଏହାର ମାଧ୍ୟମ ପାଲଟିଛି ଚୀନ୍-ପାକ୍ ଆର୍ଥିକ କରିଡର (ସିପିଇସି)। ରାଜସ୍ଥାନର ଜୈସଲମେରର ଘୋତ୍ରା ସୀମାଠାରୁ ମାତ୍ର ୨୫ କିମି ଦୂରରେ ଖେଦପୁରଠାରେ ଚୀନ୍ ବିମାନଘାଟି ନିର୍ମାଣ କରିଥିବା ବେଳେ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଚୀନ୍ ସେନା ପଇଁତରା ମାରୁଛନ୍ତି। ଚୀନ୍ ଓ ପାକିସ୍ତାନର ଚେଙ୍ଗୁଡ ଜେ-୭, ଜେଏଫ-୧୭ ଯୁଦ୍ଧବିମାନ, ଓ୍ଵାଇ-୮ ରାଡାର ଏବଂ ମିଗ୍-୨୧ ପରି ଯୁଦ୍ଧବିମାନ ଏହି ଘାଟିରେ ରହୁଛି। ସେହିଭଳି ଗୁଜରାଟ ସୀମାରୁ ମଧ୍ୟ ମାତ୍ର ୨୦ କିମି ଦୂରରେ ଏକ ବିମାନଘାଟି ନିର୍ମାଣ ଚାଲିଛି। ଉକ୍ତ ଅଞ୍ଚଳରେ ଚୀନ୍-ପାକିସ୍ତାନ କ୍ୟାରିଅର୍ ନାମକ ଏକ ରେଳ ଲାଇନ୍ ବିଛାଇବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଖବର ମିଳିଛି।
ଭାରତ ଓ ପାକିସ୍ତାନର ସେନା ଅଧିକାରୀସ୍ତରୀୟ ଆଲୋଚନାରେ ପାକିସ୍ତାନ କହିଛି, ସିପିଇସି ପାଇଁ ଆବଶ୍ୟକ ପ୍ରାକୃତିକ ଗ୍ୟାସ୍ ଓ ତୈଳ କରାଚି ବିମାନବନ୍ଦର ଯୋଗେ ନେବା ଆଣିବା ପାଇଁ ସମସ୍ୟା ଉପୁଜୁଥିବାରୁ ଚୀନ୍ ଏହି ନୂତନ ବିମାନଘାଟିକୁ ସେଥିପାଇଁ ବ୍ୟବହାର କରିବ। ଗୁଇନ୍ଦା ବିଭାର ଖବର ମୁତାବକ, ରାଜସ୍ଥାନର ଜୈସଲମେର ନିକଟସ୍ଥ ପେକ୍କାଲ ଓ ଚୋଲିସ୍ତାନରେ ଚୀନ୍ ସେନାର ଛାଉଣୀ ହୋଇଛି। ଏହାାର ଅବସ୍ଥିତି ଏବଂ ଉଦ୍ଦେଶ୍ୟ ଭାରତ ପାଇଁ ବିପଜ୍ଜନକ ହେବା ଆଶଙ୍କା ପ୍ରକାଶ ପାଇଛି । ଦୀର୍ଘବର୍ଷ ହେବ ମରୁଭୂମି ଅଞ୍ଚଳରୁ ଭାରତୀୟ ସୀମାକୁ କବ୍ଜା କରିବାପାଇଁ ଚୀନ୍ ଚଳାଇଥିବା ଚାଲ୍କୁ ଏବେ ସିପିଇସି ମାଧ୍ୟମରେ ପାକିସ୍ତାନ ଆଗକୁ ବଢ଼ାଉଛି । ଏହା ବ୍ୟତୀତ କରାଚି, ଜୋକୋକାବାଦ୍, ରାଓ୍ଵଲପିଣ୍ଡି, କ୍ୱେଟାା,ସର୍ଗୋଦା,ପେଶଓ୍ଵାର, ମେନୋନଓ୍ଵାଲି ଓ ରିସାଲପୁର ଅଂଚଳରେ ବହୁ ସଂଖ୍ୟାରେ ଚୀନ୍ ଓ ପାକିସ୍ତାନୀ ସେନା ଠୁଳ ହୋଇଛନ୍ତି। ଡୋକଲାମ ବିବଦରେ କୂଟନୈତିକ ପରାଜୟ ଯୋଗୁଁ ପଛଘୁଞ୍ଚା ଦେଇଥିବା ଚୀନ୍ ଏବେ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ କରିଥିବାରୁ ଏହା ଉପରେ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ସତର୍କ ନଜର ରହିଛି ।